ସମ୍ବଲପୁର/ବରପାଲି:ତା-୦୯/୦୨(ବିଏମସି ଟିଭି ଓଡିଆ)
ହରିୟାଣା ରୋହତକ ସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ପରିସରରେ ୨ ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ପଞ୍ଚଦିବସୀୟ ସ୍ୱତନ୍ତ୍ର ଅଲିମ୍ପିକ୍ସ୍ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଓ ପୁରୁଷ ଦଳ ପକ୍ଷରୁ ମୋଟ ୩୪ଟି ପଦକ ହାସଲ ହୋଇଥିଲା। ପ୍ରତିଯୋଗିତାରେ ବରପାଲି ସରସ୍ୱତୀ ଥେରାପି ଏବଂ ପୁନର୍ବାସ କେନ୍ଦ୍ରର ଖେଳାଳିମାନଙ୍କ ମଧ୍ୟରୁ ଦୀପିକା କୁମ୍ଭାର ୫୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ସୀମା ପଟେଲ ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଓ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ସେହିପରି ଅମନ ପଟେଲ ଦୌଡ଼ ଲମ୍ବଡ଼ିଆଁରେ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶାର ଅଧ୍ୟକ୍ଷା ସୁନୀତା ମୁଣ୍ଡ୍, କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ରଥ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ଖୁଣ୍ଟିଆ ଓ ମନୋବିଜ୍ଞାନୀ ମନତୋଷ ବେହେରା ପ୍ରମୁଖ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ସରସ୍ୱତୀ ସଂଘ ସଭାପତି ଲିଳାବତୀ ତ୍ରିପାଠୀ ଓ ଉପସଭାପତି ଘରଯୁଗୀ ଗଡତିଆ ତଥା ସମସ୍ତ ସଭ୍ୟା, ୟୁନିଫାଇଡ୍ ଚ୍ୟାମ୍ପିୟନ ‘ଲିଟିଲ୍ ଏଞ୍ଜେଲ୍ସ’ ପବ୍ଲିକ୍ ସ୍କୁଲର କର୍ମକର୍ତ୍ତାଗଣ ଓ ଅଞ୍ଚଳବାସୀ ମଧ୍ୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।
ଜାତୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ୍ରେ ସରସ୍ୱତୀ ସଂଘର ଉଲ୍ଲେଖନୀୟ ଅବଦାନ


