ଢେଙ୍କାନାଳ ;ତା-୧୪/୧୦(ବିଏମସି ଟିଭି ଓଡ଼ିଆ)
ଆଜି ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ରାସୋଳ ଗ୍ରାମ ପଞ୍ଚାୟତ ର ଏକ ଉପାନ୍ତ,ଅବହେଳିତ,ନିଷ୍ପେଶିତ ଅଞ୍ଚଳ ଗାଁ ର ନାମ “କାଳିଆପଥର” ରେ ଦେଖିବାକୁ ମିଳିଛି। ପୁରୁଣା କଟକ ସମ୍ବଲପୁର ରାସ୍ତା ରେ ରାସୋଳ ରୁ କଟକ ଅଭିମୁଖେ ଯାଉଥିବା ବେଳେ ନାଉକିଆରୀ ଗାଁ ର ଦୁଇ କିମି ଆଗରେ ଡାହାଣ କୁ ପଡ଼ିଛି ଏକ ମାଟି ରାସ୍ତା।ସେହି ମାଟି ରାସ୍ତା ରେ ପାଖା ପାଖି ଅଢ଼େଇ ରୁ ତିନି କିମି ଦୂରରେ ଏହି ଗାଁ ର ଅବସ୍ଥିତି। ଅଧିକାଂଶ ବାସିନ୍ଦା ଅନୂସୂଚିତ ବର୍ଗ ଶ୍ରେଣୀର।ପ୍ରାୟ ୩୫ଟି ଗରିବ ଶ୍ରେଣୀର ପରିବାର ପର ବିଲ ରେ ଚାଷ କରି ହେଉ ଅବା କାହା ଘରେ ମୂଲ ଲାଗି ହେଉ କାଟନ୍ତି ଜୀବନ।ହାତୀ ପ୍ରବଣ ଅଞ୍ଚଳ। ମଣିଷ ଜୀବନ ର ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ବି ନେଇ ନାହାନ୍ତି ସରକାର।ସବୁ ଠାରୁ ଚିନ୍ତା ଜନକ କଥା ଗାଁ କୁ ନାହିଁ ରାସ୍ତା ଘାଟ।
ରାସ୍ତା ହିଁ ଲୋକ ମାନଙ୍କ ଜୀବନ ଶୈଳୀ ରେ ଉନ୍ନତି ଆଣି ପାରେ କିନ୍ତୁ ବୋଧେ କେତେ ନେତା ମନ୍ତ୍ରୀ ଆସିଲେଣି ଗଲେଣି ତଥାପି ଦୁଇ ତିନି କିଲୋମିଟର ର ରାସ୍ତା କାହିଁକି କେତେ ଦିନୁ ଅବହେଳିତ।ନେତା ମନ୍ତ୍ରୀ ଯନ୍ତ୍ରୀ ଠିକାଦାର ଙ୍କର କେବଳ ଏହି ରାସ୍ତା ରୋଜଗାର ର ବାଟ।ଖରା ଦିନେ ଖାଲ ଖମଣ,ବର୍ଷା ଦିନେ ଆଣ୍ଠୁଏ କାଦୁଅ ଅତି ସାଧାରଣ କଥା ରାତି ରେ ଜଙ୍ଗଲୀ ଜନ୍ତୁ ର ଭୟ ଏମିତି ପରିସ୍ଥିତି ରେ ପାଖରେ ନା ଅଛି ବଜାର,ନା ଡାକ୍ତରଖାନା ଯଦି କାହାର କେବେ ସ୍ବାସ୍ଥ୍ୟ ଗତ ସମସ୍ଯା ଦେଖା ଦିଏ ତେବେ ମୃତ୍ୟୁ କୂ ଅପେକ୍ଷା କରନ୍ତି କାଳିଆ ପଥର ଗାଁ ର ଲୋକ। ଯେଉଁ ରାସ୍ତା ରେ ଚାଲିବା ସମ୍ଭବପର ହୁଏନି ସେ ରାସ୍ତା କୁ ଆମ୍ବୁଲାନ୍ସ ଆସିବ ଅବା କେମିତି ?
ଗତ ଦୁଇ ବର୍ଷ ତଳେ ଠିକାଦାର ରାସ୍ତା ର ଏକ ଚତୁର୍ଥାଂଶ କିଛି ମୋରମ ପକେଇ ଦେଇ ଖାଲି କଲେ ରାଜ୍ୟ ରାଜକୋଷ,ପୂର୍ତ୍ତି କଲେ ନିଜର ସ୍ବାର୍ଥ।ଆଉ କେତେ ଥର ରାସ୍ତା କାମ ହେଲେ ସଂପୂର୍ଣ୍ଣ ହେବ ତାହା ଏବେ ବଡ଼ ପ୍ରଶ୍ନ।ଅଧା ରାସ୍ତା ରେ ବୋହି ଯାଇଛି ସାପୁଆ ନଦୀ ରୁ ଆସିଥିବା ଆମ୍ବନାଳ,ବର୍ଷା ଦିନେ ଯଦି ଦୈବାତ ବଢି ଆସେ ରାସୋଳ ପଞ୍ଚାୟତ ଠାରୁ ବିଚ୍ଛିନ୍ନ ହୋଇ ପଡେ ଗାଁ ଟି।ସଉଦା ଟିକେ ଆଣି ନପାରି ବେଳେ ବେଳେ ଭୋକ ଉପାସ ରେ ରୁହନ୍ତି ଗ୍ରାମବାସୀ। ସେଦିନ ବି ଏହି ଗାଁ କୁ ରାସ୍ତା ନଥିଲା କି ଆଜି ବି ରାସ୍ତା ନାହିଁ।ଦୁଇ ବର୍ଷ ପୂର୍ବେ ଗାଁ ର ଏହି ସମସ୍ୟା କୁ ନେଇ ଜନମଙ୍ଗଳ(ରାସୋଳ) ତରଫରୁ ସୋସିଆଲ ମେଡିଆ ରେ ଲୋକ ଲୋଚନକୁ ଆସିଵା ପରେ ଯଦିଓ ଗାଁ ରାସ୍ତା ର ଉନ୍ନତି କରଣ ପାଇଁ ରାସ୍ତା ରେ ମେଣ୍ଟାଲ ପକାଯିବା,ନାଳ ଉପରେ ବ୍ରିଜ୍ ତିଆରି ହେବା ଆଦି ଦେଖି ବାକୁ ମିଳିଥିଲା।ଏସବୁ ଦେଖି ସେତେବେଳେ ଲୋକ ମାନେ ଯାହା ଆଶା କରିଥିଲେ ତାହା ଦୁଇବର୍ଷ ପରେ ଆଜି ର ଦୃଶ୍ୟ ଦେଖିଲେ କେବଳ ଗରିବ, ଅସହାୟ, ନିଷ୍ପେସିତ, ଅନୂସୂଚିତ ବର୍ଗ ଜାତିର ଲୋକ ମାନଙ୍କୁ ଭଣ୍ଡେଇବା ଭଳି ଏସବୁ ପ୍ରହସନ ଥିଲା ଭଳି ମନେ ହୁଏ।ଭୋଟ ରାଜନୀତି ର ଏକ ଅଂଶ ମଧ୍ୟ କହିପାରିବା
ତେବେ ସେତେବେଳେ ଏହି ରାସ୍ତା ର କିଛି ଅଂଶ ପ୍ରାୟ ପାଞ୍ଚ ଶହ ମିଟର ରାସ୍ତା ରେ ମେଣ୍ଟାଲ ପକାଯିବା,ମୋରମ ଆଦି ପକେଇ ବିଭାଗୀୟ କର୍ତ୍ତୃପକ୍ଷ କୁହନ୍ତୁ ଅବା ସମ୍ପୃକ୍ତ ଠିକାଦାର କେତେ ଟଙ୍କା ହରିଲୁଟ୍ କଲେ ତାହା ଭଗବାନ ଙ୍କୁ ଜଣା,କେତେ ଟଙ୍କା ରେ କାମ ହୋଇଛି, କେବେ ଆରମ୍ଭ ହୋଇଥିଲା, କେବେ ସରିଲା, କେଉଁ ଯୋଜନା ରେ ଏହି କାମ ହୋଇଥିଲା ତାର ଫଳକ କୁ ହୁଏତ ସମ୍ପୃକ୍ତ କଣ୍ଟ୍ରାକ୍ଟର ଫଟୋ ଉଠେଇ ବିଲ୍ କରିବା ପରେ ଭାଙ୍ଗି ଦେଇଛି ବୋଲି ଯାହା ଶୁଣିବାକୁ ମିଳେ। ତେବେ ଏସବୁ ତଥ୍ୟ କୁ ଲୁଚେଇବା ପାଇଁ କିଏ,କାହିଁକି,ଭାଙ୍ଗିଲା ତାହା ସହଜ ରେ ଅନୁମେୟ।ପରିତ୍ୟକ୍ତ ଅବସ୍ଥାରେ ଆଜି ପୁଣି ସେହି ରାସ୍ତାର ଦୃଶ୍ୟ ଅତି ହାସ୍ୟାସ୍ପଦ ଆଉ ଚିନ୍ତାଜନକ ମଧ୍ୟ। ଗତ ଦୁଇ ମାସ ତଳେ ପ୍ରବଳ ବର୍ଷା ରେ ସେହି ରାସ୍ତା ଧୋଇ ହୋଇ ଯିବା ସହିତ ପ୍ରାୟ ଦୁଇ ବର୍ଷ ତଳେ ଏହି ରାସ୍ତା ରେ ଆମ୍ବନାଳ ଉପରେ ଯେଉଁ ପୋଲ ନିର୍ମାଣ କରାଯାଇଥିଲା ତାର ଗୋଟିଏ ପାର୍ଶ୍ୱରେ ସଂଲଗ୍ନ ରାସ୍ତା ଧୋଇ ହୋଇଯିବା ଫଳ ରେ ସେହି ପୋଲ ଦେଇ ଲୋକ ମାନେ ଯିବା ଆସିବା କରିବା ଏକ ରକମ ବନ୍ଦ ହୋଇ ଯାଇଛି କହିଲେ ଚଳେ। ଫଳରେ କାଳିଆ ପଥର ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ବୋଲି ଆମେ ନିହାତି କହିପାରିବା। ତେବେ ଗାଁ କୁ ବହୁ ବର୍ଷ ଧରି ଗମନାଗମନ ର ସୁବିଧା ନଥିଲା କି ଆଜି ବି ନାହିଁ। ରାସ୍ତା ଘାଟ ଭଲ ନଥିବାରୁ ଗାଁ ର ପିଲା ମାନେ ସେହି ରାସ୍ତା ଦେଇ ପାଠ ପଢ଼ିବାକୁ ଯିବା ପାଇଁ କରୁନାହାନ୍ତି ଆଗ୍ରହ। ଶିକ୍ଷା ର ରହିଛି ଘୋର ଅଭାବ। କେବଳ ଗମନାଗମନ କାହିଁକି ଏପରିକି ପାନୀୟ ଜଳର ଉତ୍କଟ ସମସ୍ୟା ମଧ୍ୟ ରହିଛି।ପାନୀୟ ଜଳ ଯୋଗାଣ ର ସେମିତି କିଛି ବ୍ୟାପକ ସୁବିଧା ନଥିବା ବେଳେ ନାଳ ର ପାଣି କୁ ଛାଣି ଚୁଆରୁ ପାଣି ସଂଗ୍ରହ କରନ୍ତି କାଳିଆ ପଥର ଗାଁ ର କିଛି ପରିବାର। ପରିବର୍ତ୍ତନ ର ସ୍ବର ନେଇ ଆମେ ଶଂଖ ରୁ ପଦ୍ମ,ସେହି ସମାନ ବିଧାୟିକା ଙ୍କୁ ଆସନ ରେ ବସାଇ ଅବା କଣ ପରିବର୍ତ୍ତନ ଦେଖିଲେ।ଦୁଇ ବର୍ଷ ର ପରିବର୍ତ୍ତିତ ସରକାର ବିକାଶ ର ଡିଣ୍ଡିମ ପିଟୁଥିବା ବେଳେ କାଳିଆ ପଥର ଗାଁ ରେ ବିକାଶ ର ଚିହ୍ନ ବର୍ଣ୍ଣ ବି ଦେଖିବାକୁ ମିଳେ ନାହିଁ।ଦୁଇ ବର୍ଷ ଭିତରେ ଗାଁ ର ମୁଖ୍ୟ ସମସ୍ୟା ଏହି ରାସ୍ତା ରେ ବିଭାଗୀୟ କର୍ତ୍ତୃପକ୍ଷ କୁହନ୍ତୁ ଅବା ପଞ୍ଚାୟତ ସ୍ତରରେ ମାଟି ମୁଠେ ବି ପକାଇ ନଥିବା ଯାହା ଗାଁ ଲୋକ କୁହନ୍ତି। ଏବେ ବି ସେହି ଗୋଟିଏ ପ୍ରଶ୍ନ।କାଳିଆ ପଥର ଗାଁ ର ୩୫ଟି ପରିବାର ର ପ୍ରାୟ ଦେଢ଼ଶହ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟେ କଥା କେବେ ଆମକୁ ମିଳିବ ଗମନାଗମନ ର ସୁବିଧା,କେବେ ସୁଧୁରିବ ଆମ ଅବସ୍ଥା। ଖୁବ୍ ଶୀଘ୍ର ଏଥିନେଇ ସେମାନଙ୍କର କ୍ଷୋଭ ପ୍ରଶାସନ ତଥା ସରକାର ଙ୍କୁ ଜଣାଇବା ସହିତ କାଳିଆ ପଥର ବାସୀ ଙ୍କର ଆକୁଳ ଅନୁରୋଧ କୁ ରକ୍ଷା କରି ଜନ ମଙ୍ଗଳ (ରାସୋଳ) ସଂଗଠନ ସହାୟତାରେ ହିନ୍ଦୋଳ ସବ୍ କଲେକ୍ଟର ଙ୍କର ଦୃଷ୍ଟି ଆକର୍ଷଣ ପୂର୍ବକ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରାଯିବ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


