ଭୁବନେଶ୍ବର ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ)
ଗୁଟ୍ଖା ଓ ସମସ୍ତ ତମାଖୁଜାତୀୟ ପଦାର୍ଥ ଉପରେ ସରକାରଙ୍କ ଅଙ୍କୁଶ ଏବେ ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ସଦୃଶ ହୋଇଛି। ପୂର୍ବ ସରକାର ଏହା ଉପରେ କଟକଣା ଜାରି କରିଥିଲେ, ଡବଲ ଇଞ୍ଜିନ ସରକାର ଆଉ ଟିକେ କଠୋର କଟକଣା ଜାରି କଲେ। କିନ୍ତୁ ତମାଖୁ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ସମ୍ଭବ ହେଲା ନାହିଁ। ଓଲଟି ସରକାରଙ୍କ ମିଛିମିଛିକା ନାଲି ଆଖି ପାଇଁ ପାନ, ଗୁଟ୍ଖା, ସିଗାରେଟର କଳାବଜାର ଖୁବ୍ ହେଲା। ଏବେ ପୂର୍ବଭଳି ସୁଲଭ ମୂଲ୍ୟରେ ଏସବୁ ବଜାରରେ ବିକ୍ରି ଚାଲିଛି। ସିଗାରେଟ, ଗୁଟ୍ଖା, ପାନ ମସଲା, ଜର୍ଦା, ଖଇନି, ତମାଖୁ କିମ୍ବା ନିକୋଟିନ୍ଯୁକ୍ତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ସ୍ବାସ୍ଥ୍ୟ ବିଭାଗ ୨୦୧୩ରୁ ପ୍ରତିବନ୍ଧକ ଜାରି କରିଥିଲା ୧୦ ଲକ୍ଷ ଟଙ୍କା ଜୋରିମାନା, ୬ ମାସ ଜେଲ୍ ଦଣ୍ଡ ପ୍ରାବଧାନ ବି ଅଛି।

ଗତ ଜାନୁଆରୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସେହି ପ୍ରତିବନ୍ଧକ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି। କର୍କଟ ପ୍ରତିରୋଧ ଓ ତମାଖୁର ନିୟନ୍ତ୍ରଣ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଜିଲାପାଳ, ଖାଦ୍ୟ ସୁରକ୍ଷା ଅଧିକାରୀ, ପୁଲିସ ଏବଂ ଅନ୍ୟ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ନିର୍ଦେଶ ଜାରି କଲେ। ସୁପ୍ରିମକୋର୍ଟଙ୍କ ନିେର୍ଦଶ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଆଇ)ଙ୍କ ମାର୍ଗଦର୍ଶିକା ଅନୁସାରେ ରାଜ୍ୟରେ ତମାଖୁ ଜାତୀୟ ପଦାର୍ଥର ବିକ୍ରି, ସଂରକ୍ଷଣ, ଉତ୍ପାଦନ ବେଆଇନ ବିବେଚନା କରାଯିବ। ପରେ ହଠାତ୍ ବଜାରରୁ ଗୁଟ୍ଖା ଓ ପାନ ମସଲା ଉଭାନ ହୋଇଗଲା।

କିନ୍ତୁ ଦିନ କେଇଟା ପରେ ରାଜ୍ୟ ସରକାର ପୁନର୍ବାର ବିଜ୍ଞପ୍ତି ଜାରି କରି କଟକଣା ତାଲିକାରୁ ନିକୋଟିନ୍ ରହିତ ପାନ ମସଲାକୁ ବାଦ୍ ଦେଇଥିଲେ। ବିଳମ୍ବରେ ହେଲେ ବି ସରକାର ଜନତାଙ୍କ ସ୍ବାସ୍ଥ୍ୟରକ୍ଷା ଦିଗରେ ନେଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଗଲା। ଏଥିରୁ ସରକାର ମାସକୁ ପାଉଥିବା ପ୍ରାୟ ୧୦୦ କୋଟି ଟଙ୍କାର ରାଜସ୍ବ ବଦଳରେ ଲୋକଙ୍କ ସୁସ୍ଥ ଜୀବନକୁ ଅଗ୍ରାଧିକାର ଦେଲେ ବୋଲି କୁହାଗଲା। ହେଲେ ଦୁଇ ମାସରୁ କମ୍ ସମୟ ଭିତରେ ସରକାରଙ୍କର ଏହି ଫତୁଆ ପାଣିର ଗାର ପାଲଟି ଗଲା।
ଦେଶର ପ୍ରାୟ ୧୭ଟି ରାଜ୍ୟରୁ ଓଡିଶାକୁ ବିଭିନ୍ନ ବ୍ରାଣ୍ଡ୍ର ଗୁଟ୍ଖା ଆସୁଥିଲେ ମଧ୍ୟ ଚଢ଼ଉ କି ଜୋରିମାନା ଭୟ ନଥିବାରୁ ଦୋକାନୀମାନେ ପୂର୍ବଭଳି ଏହାକୁ ବିକ୍ରି କରୁଛନ୍ତି। କଟକଣା ଜାରି ହେବାରୁ ବ୍ୟବସାୟୀ ରାତାରାତି ଗୁଟ୍ଖା, ସିଗାରେଟ୍, ବିଡ଼ି, ଖଇନିର ମୂଲ୍ୟ ବଢ଼ାଇ ଦେଲେ। କିଛି ସ୍ଥାନରେ ପୁଲିସ ଚଢ଼ଉ ମଧ୍ୟ କରି ପୁଳା ପୁଳା ଗୁଟ୍ଖା ଜବତ କଲା। ଦିନ କେଇଟା ପରେ ସବୁ ବନ୍ଦ ହୋଇଗଲା। ଏବେ ସବୁ ଦୋକାନରେ ଏସବୁ ସାମଗ୍ରୀ ଖୋଲା ଖୋଲି ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ନିଜ ଆଦେଶନାମାକୁ ପଚାରୁ ନାହିଁ, ସେଠି ପ୍ରଶାସନ ଶୋଇପଡ଼ିବା ସ୍ବାଭାବିକ।

ବିଏମସି ନ୍ୟୁଜ୍ ଓଡି଼ଶା ।


