ରାୟଗଡା: ତା -୧୪/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଞ୍ଚଳରୁ ପୁଣିଥରେ ଦାଦନ ଦୁର୍ଦ୍ଦଶାର ଏକ ବିଷାଦ ଖବର ସାମ୍ନାକୁ ଆସିଛି। କାଶୀପୁର ବ୍ଲକର ଶୁଙ୍ଗେର ପଞ୍ଚାୟତ ଅଧୀନ ବଣ୍ଡେଲ ଗ୍ରାମର ସନ୍ତୋଷ ନାଏକ (୩୯) ଙ୍କର କେରଳରେ କାମ କରୁଥିବା ବେଳେ ଅକାଳ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଛି।ସୂଚନା ଅନୁସାରେ, ପ୍ରାୟ ତିନି ମାସ ପୂର୍ବରୁ ପରିବାରର ଦାରିଦ୍ର୍ୟ ଦୂର କରିବା ଆଶାରେ ସନ୍ତୋଷ ଦାଦନ ଖଟିବା ପାଇଁ କେରଳ ରାଜ୍ୟକୁ ଯାଇଥିଲା। ସେ କୋଝିକୋଡ ଜିଲ୍ଲା ଅନ୍ତର୍ଗତ ଏଦବାନାପୁରମ ଅଞ୍ଚଳର ଏକ ହୋଟେଲରେ କାମ କରୁଥିଲେ। ଗତ ରାତିରେ ହଠାତ୍ ତାଙ୍କ ଶାରୀରିକ ଅସୁସ୍ଥତା ହେବାରୁ ସହକର୍ମୀମାନେ ତୁରନ୍ତ ଚିକିତ୍ସାଳୟକୁ ନେଇଥିଲେ।

କିନ୍ତୁ ଡାକ୍ତରମାନେ ସେଠାରେ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ।ସନ୍ତୋଷ ନାଏକ ଅତ୍ୟନ୍ତ ଗରିବ ପରିବାରର ଏକମାତ୍ର ଉପାର୍ଜନକାରୀ ଥିଲେ। ଘରେ ପତ୍ନୀ ଓ ଶିଶୁ ସନ୍ତାନ ରହିଛନ୍ତି। ତାଙ୍କ ଅକାଳ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି ଓ ଗ୍ରାମବାସୀମାନେ ଗଭୀର ସମବେଦନା ଜଣାଇଛନ୍ତି।ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ବଡ଼ ବଡ଼ କମ୍ପାନୀ ଥିବା ସତ୍ତ୍ୱେ ସ୍ଥାନୀୟ ଯୁବକମାନଙ୍କ ପାଇଁ ପର୍ଯ୍ୟାପ୍ତ ରୋଜଗାର ସୁବିଧା ନାହିଁ। ଫଳରେ ଦାରିଦ୍ର୍ୟରେ ପୀଡ଼ିତ ଲୋକମାନେ ପରିବାର ପେଟ ଭରିବାକୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ସେଠାରେ ଅସୁରକ୍ଷିତ ପରିବେଶ ଓ ଅସୁବିଧା ଜନକ ପରିସ୍ଥିତିରେ ଅନେକ ସମୟରେ ଜୀବନ ହରେଇବାକୁ ପଡ଼ୁଛି।

ପ୍ରଶ୍ନ ଉଠୁଛି କାଶୀପୁର ବ୍ଲକର ଆଉ କେତେ ଜଣଙ୍କ ଜୀବନ ଦାଦନରେ ମୃତ୍ୟୁ ହେବା ପରେ ସରକାର ନିଦରୁ ଉଠିବେ? ଏପରି ଘଟଣା ପୁଣିଥରେ ସ୍ଥାନୀୟ ଯୁବସମାଜର ନିରପତ୍ତା ଓ ରୋଜଗାର ସୃଷ୍ଟି ନେଇ ଗୁରୁତର ପ୍ରଶ୍ନ ଉଠାଇଛି।ଗ୍ରାମବାସୀମାନେ ମୃତଦେହକୁ ଶୀଘ୍ର ଜନ୍ମଭୂମିକୁ ଆଣିବା ସହ ପରିବାରକୁ ଯଥାଯୋଗ୍ୟ ଆର୍ଥିକ ସହାୟତା ଓ ଏକ ପରିବାର ସଦସ୍ୟଙ୍କୁ ସ୍ଥାନୀୟ ଭାବେ ରୋଜଗାର ସୁବିଧା ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।ଦାଦନର ଏହି କଳା ଅଧ୍ୟାୟ ଆଉ କେତେ ଦିନ ଚାଲିବ ଏହା ଏବେ ସମାଜ ପାଇଁ ଏକ ଗୁରୁତର ପ୍ରଶ୍ନ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


