ସମ୍ବଲପୁର/ବରପାଲି:ତା.୨୧/୦୪ (ବିଏମସିଟିଭି ଓଡିଆ)
ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ବରପାଲିର ପ୍ରସିଦ୍ଧ ତଥା ଐତିହାସିକ ୧୪୯ତମ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ‘ଥାଳଉଠା’ ନୀତି ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଆଜିଠାରୁ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ଧର୍ମୀୟ ରୀତିକାନ୍ତି ଅନୁଯାୟୀ ସୋମବାର ସକାଳୁ ବାବା କପିଳେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ ସହ ବିଶ୍ୱଶାନ୍ତି ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବିଧି ମୁତାବକ ସନ୍ଧ୍ୟା ସମୟରେ ବରପକ୍ଷ ଓ କନ୍ୟାପକ୍ଷ ତରଫରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ମନ୍ଦିର ପ୍ରାଙ୍ଗଣରେ ‘ଥାଳଉଠା’ ନୀତି ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା। ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିବା ବେଳେ ସମସ୍ତ ସଦସ୍ୟ ସକ୍ରିୟ ଭାବେ ନିଷ୍ଠାର ସହିତ ପରିଚାଳନା କରିଥିଲେ। ଥାଳଉଠା ନୀତି ସମ୍ପନ୍ନ ହେବା ପରେ ଆଜିଠାରୁ ବରପାଲି ସହରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ନୀତି ସହ ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସହରବାସୀ ଭକ୍ତି ଭାବରେ ବିଭୋର ହୋଇଥିଲେ। ଚଳିତ ବର୍ଷ ୧୪୯ତମ ଯାତ୍ରା ହୋଇଥିବାରୁ ଏହାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ବର୍ଷକ ପରେ ପୁଣିଥରେ ଦେବଦମ୍ପତିଙ୍କ ବିବାହୋତ୍ସବରେ ସାମିଲ୍ ହେବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


