ଅନୁଗୁଳ ;ତା-୨୧/୦୯(ବିଏମସି ଟିଭି ଓଡ଼ିଆ)
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ ।

ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ହଣ୍ଡପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଅନୁକୂଲ୍ୟ ବେହେରା, ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ବ୍ଲକ କ୍ରୀଡ଼ା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ଏବଂ କ୍ରୀଡ଼ା ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱନାଥ ଦେହୁରୀ ମଞ୍ଚାସୀନ ଥିଲେ ।

ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବାମୁର ଜୋନ, କିଶୋରଗଞ୍ଜ ଜୋନ, ହିମିତିରା ଜୋନ ଏବଂ ହଣ୍ଡପା ଜୋନରୁ ମୋଟ୍ ୨୦୫ ଜଣ କୃତି କ୍ରୀଡ଼ାବିତ ଭାଗ ନେଇ ନିଜର ଖେଳ କୌଶଳ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା।କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଖେଳ ଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ସକ୍ରିୟ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଏଭଳି ଆୟୋଜନ ଛାତ୍ରଛାତ୍ରୀ ଓ ଯୁବପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ଭଲ ପ୍ଲାଟଫର୍ମ ଯୋଗାଇ ଦେଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ଅନୁଗୋଳ ରୁ ଜିଲ୍ଲା ପ୍ରତିନିଧି ଦିପକ କୁମାର ସାହୁ ଙ୍କ ରିପୋର୍ଟ ବି ଏମ୍ ସି ନିୟୁଜ୍ ଓଡ଼ିଶା।


