ସମ୍ବଲପୁର/ବରପାଲି:ତା.୧୪/୦୮ (ବିଏମସି ଟିଭି ଓଡିଆ)
ବରପାଲି ମହାବିଦ୍ୟାଳୟ ପରିସରରେ ‘ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ପ୍ରୋଗ୍ରାମ୍- ୨୦୨୬’ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ନୂତନ ଚିନ୍ତାଧାରା ଓ ଉଦ୍ୟୋଗୀ ମନୋଭାବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରେ ଅଧ୍ୟାପିକା ନତାଶା ସିକନ୍ଦରଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅତିଥିଗଣ ମିଳିତ ଭାବେ ‘ବନ୍ଦେ ମାତରମ୍’ ସମୂହ ଗାନ କରିଥିଲେ। ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜର ନବସୃଜନ ଓ ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ପ୍ରୋଜେକ୍ଟର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଅଏଁଠୁ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବା ଏବଂ ଷ୍ଟାର୍ଟଅପ୍ ମାଧ୍ୟମରେ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ସରୋଜ କୁମାର ତ୍ରିପାଠୀ, ପ୍ରାଧ୍ୟାପକ ସୁଶୀଲ କୁମାର ଶତପଥି ଏବଂ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ପ୍ରମୁଖ ନିଜ ବକ୍ତବ୍ୟରେ ଆଜିର ଯୁଗରେ ଇନୋଭେସନ୍ ଓ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରୋଜେକ୍ଟ ପ୍ରଦର୍ଶନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଡକ୍ଟର ଭଗବାନ ମହାନନ୍ଦ ଓ ଡକ୍ଟର ନୀଲମ ଦେବତା ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ଡକ୍ଟର ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


