ସମ୍ବଲପୁର/ଗୋଡଭଗା ; ତା.୦୨/୦୨ (ବିଏମସି ଟିଭି ଓଡିଆ)
‘ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ’ ସାହିତ୍ଯ ସଂସଦର ରାଜ୍ଯ ସ୍ତରୀୟ ଦ୍ବିତୀୟ ବାର୍ଷିକ ମହୋତ୍ସବ ଓ ବାର୍ଷିକ ବିଶେଷାଙ୍କ “ମୋ ପରିଚୟ ମୋ ମାତୃଭାଷା” ଉନ୍ମୋଚନ ଉତ୍ସବ ଭୂବନେଶ୍ବର ସ୍ଥିତ ୟୁନିଟ-୯, ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଟୋପ୍, ର ଶିକ୍ଷୟିତ୍ରୀ, କବୟିତ୍ରୀ ତଥା ସମାଜସେବୀ ଅନୁସୂୟା ଦେବତାଙ୍କୁ ସମ୍ମାନଜନକ “ସମୀକ୍ଷା ସାରଥୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠିତ ସଭାରେ ଅନୁଷ୍ଠାନ ସହ ଜଡିତ ଥିବା ୧୫୦ରୁ ଅଧିକ କବି ଓ କବୟିତ୍ରୀ ବହୁସଂଖ୍ୟାରେ ଯୋଗଦାନ ପୂର୍ବକ ସ୍ୱରଚିତ କବିତା ଆବୃତ୍ତି କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରହ୍ଲାଦ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କବିତା ପାଠୋତ୍ସବରେ ବାଣୀପୁତ୍ର କୁଳମଣି ବାରିକ ସଭାପତିତ୍ୱ କରିଥିଲେ। ଦ୍ବିତୀୟ ଅଧିବେଶନରେ ଆୟୋଜିତ ଉତ୍ସବରେ ପୌରାହିତ୍ୟ କରିଥିଲେ ଅନୁଷ୍ଠାନର ଉପ ସଭାପତି ବିଶିଷ୍ଟ ସାହିତ୍ୟିକ କାହ୍ନୁଚରଣ ପାଣିଗ୍ରାହୀ। ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ କବି ଅନଙ୍ଗ ପଟେଲ ଓ ଶ୍ରୀମତୀ ଦେବତା। ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଶିଷ୍ଟ କବି ଓ କଣ୍ଠଶିଳ୍ପୀ ବିଶ୍ୱନାଥ ଓଝା, ଅନୁସୂୟା ଦେବତା, ପ୍ରୀୟଙ୍କା ସେଠୀ ଓ ଅନୁପମା ନାଥ ଶର୍ମା। ଏହି ପରିପ୍ରେକ୍ଷୀରେ ମୁଖ୍ଯ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ଅନୁବାଦକ ଏବଂ ଶାରଳା ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁସାହିତ୍ୟିକ ଓ ସୁବକ୍ତା ଗୌରହରି ଦାସ ଯୋଗଦାନ କରି ରୀତିଯୁଗର କବି ଓ କବୟିତ୍ରୀ ଙ୍କ କବିତା ରଚନାରେ ‘ଜାତୀୟ ଭାବନାରେ ଓଡ଼ିଆ ଭାଷା ଓ ସାହିତ୍ଯର ମହତ୍ତ୍ବ ଓ ତାହାର ଯଥାର୍ଥତା’ ଉପରେ ଆଲୋକପାତ କରିଥିଲେ। ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସୁସାହିତ୍ୟିକ ଓ ସୁବକ୍ତା ସୁରେନ୍ଦ୍ର ମୋହନ ମିଶ୍ର,ଅବସରପ୍ରାପ୍ତ ଅଧ୍ୟକ୍ଷ, ପାରାଦୀପ ମହାବିଦ୍ୟାଳୟ, ଯୋଗଦାନ କରି ଏବେକାର ସାହିତ୍ଯ ସୃଷ୍ଟିର ମହତ୍ତ୍ବକୁ ଅବତୀର୍ଣ୍ଣ କରି ଅତୀତ ଓ ବର୍ତ୍ତମାନର ସାହିତ୍ଯ ସୃଷ୍ଟି ଉପରେ ପର୍ଯ୍ଯାଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଅନେକ କବି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉମାବଲ୍ଲଭ ଷଡଙ୍ଗୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


