ବୋଲଗଡ଼ ; ତା-୦୯/୦୬ ( ବିଏମସି ଟିଭି ଓଡ଼ିଆ )
ଖୋଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଖଙ୍ଗୁରିଆ ପଞ୍ଚାୟତର ଅରଖପଲ୍ଲୀ ଏବଂ ଇଚ୍ଛାପୁର ଗ୍ରାମ ସମଗ୍ର ବ୍ଲକରେ ହିନ୍ଦୁ ମୁସଲିମ ଭାଇଚାରାର ଏକ ପ୍ରତୀକ ଭାବେ ଜଣାଶୁଣା। ସେତିକି ନୁହେଁ, ଏହି ଅଞ୍ଚଳକୁ ବ୍ଲକର ସର୍ବାଧୂକ ଶିକ୍ଷିତ ଗ୍ରାମ ଭାବେ ମଧ୍ୟ ଗଣନା କରାଯାଏ। ଶିକ୍ଷାର ବିକାଶ ପାଇଁ ଅରଖପଲ୍ଲୀ ଗ୍ରାମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଏବଂ ଗୋଟିଏ ଡାକଘର ମଧ୍ୟ କାର୍ଯ୍ୟ କରୁଛି। ହେଲେ ଏଭଳି ଏକ ଆଦର୍ଶ ଓ ଶିକ୍ଷିତ ଗ୍ରାମକୁ ପ୍ରବେଶ ପଥର ଅବସ୍ଥା ଅତିବ ଶୋଚନୀୟ ହୋଇପଡ଼ିଛି । ଫଳରେ ସ୍ଥାନୀୟ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ରାସ୍ତା ଅବସ୍ଥା ଯାହା ବି ଥିଲା, ନିକଟରେ ସରକାରଙ୍କ ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ଆସିବା ପରେ ତାହା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି। ପ୍ରକଳ୍ପ ଅଧୀନରେ ପାଇପ୍ ବିଛାଇବା ପାଇଁ ସାରା ରାସ୍ତାକୁ ଖୋଳି ଦିଆଗଲା । ନିୟମ ଅନୁଯାୟୀ, ପାଇପ୍ କାର୍ଯ୍ୟ ଶେଷ ପରେ ରାସ୍ତାର ମରାମତି ପାଇଁ ଅର୍ଥ ବ୍ୟବସ୍ଥା ସଂଲଗ୍ନ ରହିଥିଲା। ମାତ୍ର ସମ୍ପୃକ୍ତ ଠିକାଦାର କାର୍ଯ୍ୟ ଶେଷ କରିବା ପରେ ରାସ୍ତାକୁ ମରାମତି ନ କରି ଛାଡ଼ି ଚାଲିଯାଇଛନ୍ତି। ଫଳରେ ସାରା ରାସ୍ତାରେ ଏବେ ଢିମା ପଥର ଓ ଖାଲଖମା ଭର୍ତ୍ତି ହୋଇ ରହିଛି ।

ଲୋକେ ପ୍ରତିଦିନ ବିପଦସଙ୍କୁଳ ଭାବେ ଯାତାୟାତ କରୁଛନ୍ତି। ରାସ୍ତା ସାରା ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ପ୍ରାୟ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି। ବିଶେଷ କରି ବାଇକ୍ ଚାଳକମାନେ ନିୟନ୍ତ୍ରଣ ହରାଇ ଆହତ ହେଉଛନ୍ତି। ସରକାର ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ଗମନାଗମନ ପାଇଁ ମୁଖ୍ଯମନ୍ତ୍ରୀ ବସ ଯୋଜନା କରିଥିଲେ ମଧ୍ଯ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ର ଏହି ରାଜସ୍ବ ଗ୍ରାମକୁ ଏହି ଖାଲଖମା ରାସ୍ତା ହୋଇଥିବା ରୁ ବସ ଯାଇ ପାରୁନାହଁ। ତେଣୁ ଜନସାଧାରଣଙ୍କ ଦାବୀ ଯଥାଶୀଘ୍ର ରାସ୍ତା ମରାମତି କରି ମୁଖ୍ୟମନ୍ତ୍ରୀ ବସ ଯୋଜନା ବ୍ୟବସ୍ଥା ଲାଗୁ କରିବା ପାଇଁ ।

ସବୁଠାରୁ ଜଟିଳ ସ୍ଥିତି ଉପୁଜୁଛି ଜରୁରୀକାଳୀନ ସମୟରେ। ଗ୍ରାମକୁ କୌଣସି ରୋଗୀ ବୁହା ଯାନ ଯିବା ଆସିବା କରିବା ଅସମ୍ଭବ ହୋଇପଡ଼ିଛି। ଚିକିତ୍ସା ପାଇଁ ରୋଗୀଙ୍କୁ ଡାକ୍ତରଖାନା ନେବା ବେଳେ ଗ୍ରାମବାସୀଙ୍କୁ କାଠିକର ପାଠ ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ସ୍ଥାନୀୟ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କ ପର୍ଯ୍ୟନ୍ତ ବାରମ୍ବାର ଲିଖୂତ ଓ ମୌଖିକ ଅଭିଯୋଗ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ଯଥାଶୀଘ୍ର ଏହି ରାସ୍ତାର ପୁନଃନିର୍ମାଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ବିଏମସି ନ୍ଯୁଜ୍ ଓଡ଼ିଶା ।


