ସମ୍ବଲପୁର/ଗୋଡଭଗା:ତା.୨୨/୧୨ (ବିଏମସି ଟିଭି ଓଡିଆ)
ବରଗଡ଼ ଶିକ୍ଷା ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଗୋଡଭଗା କେମ୍ପ୍ ସ୍ଥିତ ପିଏମ୍ଶ୍ରୀ ଜନତା ହାଇସ୍କୁଲର ଏକ ଦିବସୀୟ ବାର୍ଷିକୋତ୍ସବ ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି। ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ଉତ୍ସବ ସ୍ଥଳୀକୁ ବିଦ୍ୟାଳୟର ଏନ୍ସିସି କେଡେଟ୍ସ୍, ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଆମନ୍ତ୍ରିତ ବରେଣ୍ୟ ଅତିଥିମାନଙ୍କୁ ବାଦ୍ୟଯନ୍ତ୍ରର ତାଳେ ତାଳେ ଉତ୍ସବ ସ୍ଥଳୀକୁ ପାଛୋଟି ନେଇଥିଲେ। ଜ୍ଞାନଦାତ୍ରୀ ମାଆ ସରସ୍ୱତୀ ଓ ଜ୍ଞାନଦାତା ପ୍ରଭୁ ଗଣେଶଙ୍କ ତୈଳଚିତ୍ର ସମ୍ମୁଖରେ ଅତିଥିମାନେ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଚିତ୍ତାକର୍ଷକ ଢଙ୍ଗରେ ଆୟୋଜିତ ସଭା ମଞ୍ଚରେ ମଞ୍ଚାସୀନ ଥିଲେ ସ୍ଥାନୀୟ ହାଇସ୍କୁଲର ଭାରପ୍ରାପ୍ତ ଯୁବ ପ୍ରଧାନ ଶିକ୍ଷକ ଅଭିଜିତ ସତୀଶ କୁମାର ନାୟକଙ୍କ ସହ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିବନ୍ଧୁ ଦାଶ ମୂଖ୍ୟ ଅତିଥି, ଭୂତପୂର୍ବ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ମିଶ୍ର ମୂଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଅନୁପମା ନାଏକ, ଅବସରପ୍ରାପ୍ତ ଶିକ୍ଷକ କୈଳାସ ମହାରଣା, ଗୋଡଭଗା ସରପଞ୍ଚ ଶ୍ରୀମତୀ ମଞ୍ଜୁଲତା ସେଠ୍ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ସିଂ ।ଅତିଥିମାନଙ୍କୁ ଫୁଲତୋଡ଼ା ସହ ଉତ୍ତରୀୟ ବସ୍ତ୍ର ପ୍ରଦାନ ପରେ ବିଦ୍ୟାଳୟର ଶିକ୍ଷୟତ୍ରୀ ରଞ୍ଜୁଲତା ମିଶ୍ର ଓ ମିଲି ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ସଭାରମ୍ଭ ହୋଇଥିଲା।

ଶିକ୍ଷୟତ୍ରୀ ନନ୍ଦିନୀ ମାଝୀଙ୍କ ପ୍ରାରମ୍ଭିକ ସଭା ପରିଚାଳନା ଅବସରରେ ବରିଷ୍ଠ ଶିକ୍ଷୟତ୍ରୀ କଲ୍ୟାଣୀ ସାମନ୍ତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ତତ୍ ପରେ ପରେ ସଭାପତିଙ୍କ ପରିଚାଳନାରେ ଅତିଥିମାନେ ବିଦ୍ୟାଳୟର ସାମୂହିକ ଉନ୍ନତି ପାଇଁ ନିଜ ନିଜର ଦୀର୍ଘ ବର୍ଷର ଶିକ୍ଷକତାର ଅଭିଜ୍ଞତାକୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଉପସ୍ଥିତିରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୂର୍ବତନ କୃତି ଛାତ୍ରଛାତ୍ରୀ ଏବଂ ଅଧୁନା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପୁରସ୍କାର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ରଞ୍ଜୁଲତା ମିଶ୍ର, ମିଲି ମିଶ୍ର ଓ ଚିନ୍ମୟୀ ସେଠ୍ ପରିଚାଳନା କରିଥିଲେ। ଅନୁଷ୍ଠିତ ଉତ୍ସବକୁ ରଙ୍ଗାରଙ୍ଗ କରିବା ପାଇଁ ବିଦ୍ୟାଳୟର ସଙ୍ଗୀତ ଓ ନୃତ୍ୟ ଶିକ୍ଷୟତ୍ରୀ ମୀତା ମହାକୁରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନ ବିଭିନ୍ନ ସ୍ତରର ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ। ପ୍ରଥମ ଥର ପାଇଁ ବିଦ୍ୟାଳୟର ବାର୍ଷିକୋତ୍ସବକୁ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିବାରୁ ଉପସ୍ଥିତ ଅଭିଭାବକ, ଅଭିଭାବିକାମାନେ ଖୁସୀ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ଏବଂ ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କ ସକ୍ରୀୟ ସହଯୋଗରେ ଚଳିତ ବର୍ଷର ବାର୍ଷିକୋତ୍ସବ ସୁରୁଖୁରୁରେ ସମାପନ ହୋଇଥିଲା। କାର୍ଯ୍ୟକ୍ରମର ଯବନିକା ସମୟରେ ବିଦାୟୀ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ନିଲିମା ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


