ଭୁବନେଶ୍ୱର ; ତା-୨୪/୧୦ ( ବିଏମସି ଟିଭି ଓଡ଼ିଆ)
ତମାଖୁ ଜାତୀୟ ଖାଉଟି ସାମଗ୍ରୀର କାରବାର ଉପରେ ଚାରି ଦିନ ପୂର୍ବେ ସ୍ବାସ୍ଥ୍ୟ ବିଭାଗ କଠୋର କଟକଣା ଲଗାଇଛି। ପୂର୍ବରୁ ପ୍ରଚଳିତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ରାତି ଅଧିଆ ଏସବୁ ସାମଗ୍ରୀର ମୂଲ୍ୟ ବଢ଼ି ଯାଇଛି।
ସିଗାରେଟ, ଗୁଟ୍ଖା, ପାନ ମସଲା, ଜର୍ଦା, ଖଇନି, ନିକୋଟିନ୍ ଯୁକ୍ତ ସମସ୍ତ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ୨୦୧୩ ମସିହାରୁ କଟକଣା ଜାରି କରାଯାଇଛି। ହେଲେ ଓଡ଼ିଶାର କୋଣ ଅନୁକୋଣରେ ତମାଖୁ ସାମଗ୍ରୀ ଖୋଲାଖୋଲି ବିକ୍ରି ହେଉଛି। କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ମାଦକ ଦ୍ରବ୍ୟର ବିକ୍ରି ଉପରେ ଅଙ୍କୁଶ ଦୂରେର ଥାଉ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ସ୍ଥଳ ନିକଟରେ ଏହାର ବିକ୍ରି ବନ୍ଦ ହୋଇପାରି ନାହିଁ। ଓଲଟି ସରକାର ଏସବୁ ସାମଗ୍ରୀ ବିକ୍ରିରୁ ବର୍ଷକୁ ଦେଢ଼ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ପାଉଛନ୍ତି। ଏପରିସ୍ଥଳେ ଆଗକୁ ତମାଖୁ ସାମଗ୍ରୀର କାରବାର ବନ୍ଦ ହେବ ବୋଲି କହିବା ସହଜ ନୁହେଁ।

ଚଳିତ ମାସ ୨୦ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦେଶନାମା ଜାରି କରାଯାଇ କର୍କଟ ପ୍ରତିରୋଧ ଓ ତମାଖୁ ନିୟନ୍ତ୍ରଣ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଜିଲାପାଳ, ଖାଦ୍ୟ ସୁରକ୍ଷା ଅଧିକାରୀ, ପୁଲିସ ଏବଂ ଅନ୍ୟ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ହେଲେ ଏହି ଚାରି ଦିନ ଭିତରେ ଓଡ଼ିଶାର କୌଣସି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅନ୍ୟପଟେ ବଜାରରେ ବିକ୍ରି ହେଉଥିବା ତମାଖୁ ଜାତୀୟ ସାମଗ୍ରୀର ଦର ବଢ଼ି ଯାଇଛି। ସରକାରଙ୍କ ବିଜ୍ଞପ୍ତି ପରେ ଲାଭଖୋର କମ୍ପାନୀ ଓ ଅସାଧୁ ବ୍ୟବସାୟୀ ବେଶ୍ ଭଲ ରୋଜଗାର ଆରମ୍ଭ କରି ଦେଇଛନ୍ତି।

କମ୍ପାନୀ ପକ୍ଷରୁ ପୂର୍ବବତ୍ ଏହାର ଉତ୍ପାଦନ ଓ ଯୋଗାଣ ଜାରି ରହିଛି। ତେଣୁ ମୂଲ୍ୟ ବୃଦ୍ଧିର କୌଣସି କାରଣ ନାହିଁ। ଯଦି ସରକାର କଟକଣା ଲଗାଉଛନ୍ତି ତା ହେଲେ ତମାଖୁ ସାମଗ୍ରୀ ବିକ୍ରି ଓ କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁସାରେ କେବଳ ଲୋକଦେଖାଣିଆ କଟକଣା ଲଗାଇବା ଆଦୌ ଉଚିତ ନୁହେଁ। ସର୍ବୋଚ୍ଚ ଅଦାଲତ ଯେଉଁ ମର୍ମରେ ଏହି ଆଦେଶ ଜାରି କରିଛନ୍ତି ତାହାକୁ ସରକାର ହୃଦବୋଧ କରି କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶାରେ ପ୍ରାୟ ୪୨ ପ୍ରତିଶତ ଲୋକ ତମାଖୁଯୁକ୍ତ ସାମଗ୍ରୀ ବ୍ୟବହାର କରୁଛନ୍ତି। ଜାତୀୟ ହାରଠାରୁ ଏହା ଦୁଇ ଗୁଣା ଅଧିକ। ନୂଆ ନିୟମକୁ ଆମେ କଡ଼ାକଡ଼ି ପାଳନ କରିବୁ। ତମାଖୁ ମୁକ୍ତ ଓଡ଼ିଶା ପାଇଁ ଲୋକଙ୍କୁ ସଚେତନ କରାଯିବ। ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ନେଇ ସ୍କ୍ବାଡ ଗଠନ କରାଯାଇ ଚଢ଼ଉ କରାଯିବ।

ବିଏମସି ନ୍ଯୁଜ ଓଡ଼ିଶା ।


