ସମ୍ବଲପୁର/ଗୋଡଭଗା:ତା-୨୪/୦୧(ବିଏମସି ଟିଭି ଓଡିଆ)
ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସମ୍ପାଦିକା ଅର୍ଚ୍ଚନା ବାଗଙ୍କ ଅତାବିରା ଏନଏସି ୱାର୍ଡ଼ ନମ୍ବର ୭ ଅଧିନସ୍ଥ ଝାନ୍ସିନଗର ସ୍ଥିତ ବାସଭବନରୁ ଚୋରୀ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଅର୍ଚ୍ଚନା ତାଙ୍କ ମାଆ ଜନନୀ ବାଗଙ୍କ ସହିତ ଶୁକ୍ରବାର ଦିନ ସରଣ୍ଡା ସ୍ଥିତ ବିଶ୍ୱେଶ୍ୱର ବାବାଙ୍କ ଅଷ୍ଟଶମ୍ଭୁ ପୀଠ ପରିସରରେ ନବନିର୍ମିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦେଖିବାକୁ ଯାଇଥିଲେ। ଅର୍ଚ୍ଚନାଙ୍କ ମାମୁଁ ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ମହାପାତ୍ରଙ୍କ ଘର ସରଣ୍ଡା ହୋଇଥିବାରୁ ସେମାନେ ରାତ୍ରୀରେ ଘରକୁ ଫେରିବେ ନାହିଁ ବୋଲି ବୋଧହୁଏ ଚୋରମାନେ ପୂର୍ବରୁ ଜାଣିଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଘରର ପଛପଟୁ ଆସି ଘରର ତାଲାଭାଙ୍ଗି ଆଲମିରାରେ ଥିବା ୧୮ଗ୍ରାମ ଓଜନର ସୁନା ଚେନ, ମୁଦି, କାନଫୁଲ ଏବଂ ୪୦ ଗ୍ରାମର ପାୟଲ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଏବଂ ନଗଦ ୧୫ହଜାର ଟଙ୍କା ଚୋରୀକରି ନେଇଥିବା ଥିବା ଅତାବିରା ଥାନାରେ ଲିଖିତ ଅଭିଯୋଗରେ ଉଲ୍ଲେଖ ରହିଛି। ଗତ ଶନିବାର ଦିନ ପ୍ରାୟ ୧୧ଟାରେ ଉଭୟ ମାଆଝିଅ ଘରକୁ ଆସି ଚୋରୀ ହୋଇଥିବା ଜାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅତାବିରା ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିବା ସହ ସମ୍ବଲପୁରକୁ ସାଇଣ୍ଟିଫିକ୍ ଦଳ ଏବଂ ସନ୍ଧାନି କୁକୁର ପଠାଇବା ପାଇଁ ଖବର ଦେଇଥିଲେ। ସାଇଣ୍ଟିଫିକ୍ ଦଳ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରି ଫେରିଯାଇଛନ୍ତି। ସନ୍ଧ୍ୟା ୬ଘଣ୍ଟା ସମୟରେ ବରଗଡ଼ରୁ ସନ୍ଧାନୀ କୁକୁର ଆସି ଘରୁ ପ୍ରାୟ ୨୦୦ମିଟର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ଯାଇ ଅଟକି ଯାଇଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। ପ୍ରକାଶ ଥାଉ କି ଗତ କିଛିଦିନ ଧରି ଅତାବିରା ଥାନା ଅନ୍ତର୍ଗତ ଏକାଧିକ ଗ୍ରାମରେ ବିଭିନ୍ନ ଦେବାଦେବୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଚାଲିଛି। ଶ୍ରଦ୍ଧାଳୁମାନେ ସେସବୁ ମହୋତ୍ସବଗୁଡିକୁ ଘରେ ତାଲା ପକେଇ ପିଲାଛୁଆ ନେଇ ଦର୍ଶନ କରିବାକୁ ଯାଉଛନ୍ତି। ଏସବୁର ସୁଯୋଗ ନେଇ ବୋଧହୁଏ ଚୋରମାନେ ସକ୍ରୀୟ ହୋଇ ଚୋରିକରୁଥିବା ବିଷୟରେ ଜନସାଧାରଣରେ ଆଲୋଚନା ହେବା ସହ ଏନ୍ଏସି ଅଞ୍ଚଳ ସହିତ ଗ୍ରାମାଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ୍କୁ କଡାକଡି କରିବାକୁ ଦାବି ହେଉଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।


