ସମ୍ବଲପୁର:ତା-୨୭/୦୧(ବିଏମସି ଟିଭି ଓଡିଆ)
ସାଧାରଣତନ୍ତ୍ର ଦିବସ ହେଉଛି ଭାରତର ଆତ୍ମା। ଆତ୍ମୀୟତାକୁ ସ୍ମରଣ କରି ଆଗାମୀ ପୀଢ଼ି ପାଇଁ ପ୍ରତିଶୃତି। ଆଇନ, ମୂଲ୍ୟବୋଧ ଓ ନ୍ୟାୟର ପ୍ରତୀକ ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ର ସମଗ୍ର ବିଶ୍ୱ ପାଇଁ ଏକ ନିଦର୍ଶନ। ସମାଜକୁ ଏଭଳି ବାର୍ତ୍ତା ଦେଇ ନିଆରା ଭାବରେ ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପାଳନ କରିଛି ୭୭ତମ ସାଧାରଣତନ୍ତ୍ର ଦିବସ।ପଧାନପାଲି ହାଇସ୍କୁଲ ପଡିଆରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମାଜସେବୀ ତଥା ପରିବେଶବିତ୍ ପ୍ରଭାତ କୁମାର ବିଶ୍ୱାଳ (ବୁଲୁ) ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଭାରତ ସ୍ୱାଧୀନତାରେ ସମ୍ବଲପୁରର ଯୋଗଦାନକୁ ମନେ ପକାଇ କୁଦୋପାଲିର ରକ୍ତ ରଞ୍ଜିତ ଘଟଣାବଳୀ ଆଜି କୁଦୋପାଲିକୁ ଜାତୀୟ ପର୍ଯ୍ୟଟନର ମାନ୍ୟତା ସହିତ ବିଶ୍ୱ ଦରବାରରେ ପରିଚିତ କରିବାର ଅବସର ଆସିଛି। ଏହି ମାଟି ଭାରତ ମାତୃଭୂମିର ଏକ ଅଂଶବିଶେଷ ହୋଇଥିବା କହି ଶହୀଦ ବୀର ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ବାହାମ ସରପଞ୍ଚ ସରସ୍ବତୀ ଭୁସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ସୁବୋଧ କୁମାର ବେହେରା, ବିଜୟ କୁମାର ନାୟକ, ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ମଗର, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ଯୁବନେତା ଶକ୍ତି ପ୍ରସନ୍ନ ବଡ଼ପଣ୍ଡା ଓ ଶିଶୁ ସୁରକ୍ଷା ଅଭିକର୍ତ୍ତା ବାଣୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି ନୁହେଁ, ସମ୍ବିଧାନ ହେଉଛି ସର୍ବୋଚ୍ଚ ଯାହା ନାଗରୀକଙ୍କୁ ତାଙ୍କର ଅଧିକାର ସହ ଦାୟିତ୍ୱକୁ ସ୍ମରଣ କରାଇଥାଏ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାମୋହନ ଷଡ଼ଙ୍ଗୀ, ସ୍ମୃତି ସ୍ୱରୂପ ବାରିକ, ଦୀପକ ପ୍ରସାଦ, ନମିତା ପଟେଲ, ପ୍ରମିଳା ମଟାରୀ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏପରିକି ସ୍କୁଲ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ବିଭିନ୍ନ ସ୍କୁଲ ଓ ଯୁବକ ସଂଘକୁ ପୁରସ୍କୃତ କରାଯିବା ସହ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୁସାଗର ପରିଚାଳନା କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ପଞ୍ଚାୟତ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ; କୁଦୋପାଲିର ରକ୍ତରଞ୍ଜିତ ଘଟଣାବଳୀର ସ୍ମୃତିଚାରଣ


