ବାଙ୍କୀ:ତା- ୨୯/୦୧(ବିଏମସି ଟିଭି ଓଡ଼ିଆ)
ବାଙ୍କୀର ବରିଷ୍ଠ ରାଜନେତା ତଥା ବାଙ୍କୀ କୋର୍ଟର ଆଇନଜୀବୀ ଶ୍ରୀନିବାସ ମହାପାତ୍ରଙ୍କ ଗତକାଲି ଭୁବନେଶ୍ୱରସ୍ଥ ଆର୍ମି ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାପାତ୍ର ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ବେଦପୁର ଗ୍ରାମସ୍ଥ ନିଜ ଅଜା ବରିଷ୍ଠ ଓକିଲ ସ୍ୱର୍ଗତ ବାଞ୍ଛାନିଧି କରଙ୍କ ଘରେ ରହି ଓକିଲାତି ବ୍ୟବସାୟ କରୁଥିଲେ । ସେ ବାଙ୍କୀ ଓକିଲ ସଂଘର ସଭାପତି ଭାବରେ ବହୁ ବର୍ଷ କାର୍ଯ୍ୟକରିଥିଲେ । ତାଙ୍କ ମରଶରୀରକୁ ଗତକାଲି ରାତିରେ ବେଦପୁରସ୍ଥ ଅଜା ଘରକୁ ଅଣାଯିବା ପରେ ନିଜ ଗ୍ରାମ ସରଣ୍ଡା ରତାଗଡକୁ ନିଆଯାଇଥିଲା । ଆଜି ସକାଳେ ସ୍ୱର୍ଗତ ମହାପାତ୍ରଙ୍କ ମରଶରୀରକୁ ସରଣ୍ଡା ଅଂଶୁପା କଲେଜ ପରିସରକୁ ନିଆଯାଇଥିଲା । ସେଠାରେ କଲେଜ ଅଧ୍ୟକ୍ଷ , ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ତାଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ମହାପାତ୍ର ଅଂଶୁପା କଲେଜର ପ୍ରତିଷ୍ଠାତା ସଂପାଦକ ଭାବରେ କାର୍ଯ୍ୟକରିବା ସହିତ ବାଙ୍କୀ ଉପଖଣ୍ଡ ଗୃହନିର୍ମାଣ ସେବା ସମବାୟ ସମିତିର ସଭାପତି ଓ ରାଣୀଶୁକଦେଈ ମହିଳା କଲେଜର ସଂପାଦକ ଭାବରେ କାର୍ଯ୍ୟ କରିଥିଲେ । ଜାତମୁଣ୍ଡିଆ ଅଶୁଂପା ସେତୁ ନିର୍ମାଣରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ଥିଲା । ବରିଷ୍ଠ ସମାଜସେବୀ ଶ୍ୟାମ ସୁନ୍ଦର ସାହୁ, ବାଙ୍କୀ ଏନ୍.ଏ.ସି ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସିଂହ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢୀଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋଭାଯାତ୍ରାରେ ଯୋଗଦେଇଥିଲେ । ତାଙ୍କର ଏକମାତ୍ର ପୁତ୍ର ଆଇନଜୀବୀ ସୁଭାଶିଷ ମହାପାତ୍ର ମୁଖାଗ୍ନି ପ୍ରଦାନ କରିଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


