ବାଲିମେଳା: ତା -୦୫/୦୨/(ବିଏମସି ଟିଭି ଓଡ଼ିଆ)
ପ୍ରକୃତି କୋଳରେ ବଞ୍ଚିବା ଏମାନଙ୍କର ସହଜାତ ପ୍ରବୃତି। ଶାନ୍ତ, ସରଳ ନିରାଡାମ୍ବର ଜୀବନ ଯାପନ କରୁଥିବା ନିରୀହ ଆଦିବାସୀଙ୍କ ଉପରେ ଭାଗ୍ୟ ଦାଉ ସାଧୁଛି। ପ୍ରଶାସନ କିମ୍ବା ନିର୍ବାଚିତ ଜନ ପ୍ରତିନିଧିମାନେ ସତେ ଯେମିତି କେଉଁ ଜନ୍ମର ରାଗ ସୁଝାଉଛନ୍ତି ସେମାନଙ୍କ ଉପରେ। ଓଠରେ ଦରଫୁଟା ହସ ନେଇ ସେମାନେ ଏବେ ଭାଗ୍ୟକୁ ନିନ୍ଦୁଛନ୍ତି। ସରକାରୀ ବାବୁଙ୍କ ନାଲି ଫାଇଲ ତଳେ ଝୁଲି ରହିଛି ଏମାନଙ୍କର ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସମସ୍ୟା।ଦୂଷିତ ଝରଣା ପାଣି ଯୋଗାଉଛି ପାନୀୟ ଜଳର ଖୋରାକ।ମୌଳିକ ସୁବିଧା ସୁଯୋଗର ଅଭାବ ଏବେ ପ୍ରଶାସନ ବିରୋଧୀ ଜନ ଅସନ୍ତୋଷର ରୂପ ନେଲାଣି।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନରେ ଧଉଡ଼ାଗୁଡା
ଗାଁ ରହିଛି। ଏହି ଗାଁରେ ରହିଛି ଦୁଇଟି ବସ୍ତି।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୨ କି.ମି ଦୂର ପାହାଡ଼ ଶିଖରରେ ଥିବା ଏହି ଗାଁର ତଳ ସାହିରେ ପ୍ରାୟ ୫୦ରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି।ଆଜି ବି ଗ୍ରାମବାସୀଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ,
ରାସ୍ତାଘାଟ ଓ ପାନୀୟଜଳ ସୁବିଧା ଅପହଞ୍ଚ ହୋଇ ରହିଛି।ଯାତାୟତ ପାଇଁ ପକ୍କା ରାସ୍ତାଟିଏ ନଥିବାରୁ ଜଙ୍ଗଲିଆ ଖାଲ ଖମା ରାସ୍ତା ହିଁ ଶେଷ ଭରସା।ବର୍ଷ ତମାମ କୌଣସି ସରକାରୀ ଅଧିକାରୀଙ୍କ ପାଦ ଗାଁରେ ପଡେନାହିଁ।ଏହି ପଞ୍ଚାୟତ ଅଧୀନ କୁମ୍ଭାର ଗୁଡା, ସୀମାଗନ୍ଧୀ କିମ୍ବା କଣ୍ଡେଲ ଗ୍ରାମ ଦେଇ ପ୍ରାୟ ୭/୮ କି.ମି ଘଞ୍ଚ ପାହାଡିଆ ରାସ୍ତା ଦେଇ ପାହାଡ଼ ଶିଖରକୁ ଗଲେ ପଡେ ଧଉଡ଼ା ଗୁଡା ଗାଁ।ଏହି ରାସ୍ତା ଦେଇ ଲୋକେ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀ ବହୁବାର ଅଭିଯୋଗ କରିବା ପରେ ପ୍ରାୟ ୪/୫ ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ କାମ ଆରମ୍ଭ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରିବାର ନାଁ ଧରୁ ନାହିଁ। ଗାଁରେ ଥିବା ଏକ ମାତ୍ର ନଳକୂପ ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡି ରହିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଗାଁର ତଳ ସାହିର ଲୋକେ ନିରୁପାୟ ହୋଇ ଗାଁ ଠାରୁ ପ୍ରାୟ ୮ସହ ମିଟର ଦୂରରେ ପ୍ରବାହିତ ହେଉଥିବା ଏକ ଝରଣା ନିକଟରେ ଏକ ଚୂହା ଖୋଳି ସେଥିରେ ନିଜ ଉଦ୍ୟମରେ ଏକ ଛୋଟ ସିମେଣ୍ଟ କୁଣ୍ଡ ତିଆରି କରି ଉକ୍ତ ଟାଙ୍କିରେ ଥିବା ଝରଣା ପାଣିକୁ ଲୋକେ ବୋହି ଆଣି ବ୍ୟବହାର କରୁଛନ୍ତି।ମୁଖ୍ୟତଃ ଖରାଦିନେ ସେଠାରେ ପାଣି ଶୁଖିଯିବାରୁ ଲୋକଙ୍କ ଆବଶ୍ୟକ ଅନୁସାରେ ପାଣି ମିଳେନାହିଁ।ଏହି ଗାଁର ଉପର ସାହିରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଆଜକୁ ପ୍ରାୟ ଏକ ବର୍ଷ ହେବ ଅଚଳ ହୋଇ ପଡି ରହିଛି।ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା, ଚାଉଳ ଓ ଅନ୍ୟ ସାମଗ୍ରୀ ଆଣିବାକୁ ହେଲେ ପ୍ରାୟ ୧୨ କି.ମି ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରୁ ପାହାଡ ଚଢି ବୋହି ଆଣିବାକୁ ପଡୁଛି। ୧୦୦ ଟଙ୍କାର ଚାଉଳକୁ ଅଟୋରେ ଆଣିବାକୁ ହେଲେ ଗାଡିବାଲାଙ୍କୁ ଜଣକା ୧୫୦ ଟଙ୍କା ଭଡା ଦେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।ଧଉଡ଼ା ଗୁଡା ଗାଁର ଉପରେ ସାହିରେ ସ୍କୁଲ ଓ ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। ହେଲେ ଏହି ଅଙ୍ଗନୱାଡି କେନ୍ଦ୍ର ଠାରୁ ତଳ ସାହି ପ୍ରାୟ ଏକ କି.ମି ଦୂରରେ ଥିବାରୁ ଏହି ସାହିର ଶିଶୁ ମାନେ ପାଠ ପଢବା ପାଇଁ ଖାଲ ଖମା ଓ ଜଙ୍ଗଲିଆ ରାସ୍ତା ଦେଇ କେନ୍ଦ୍ରକୁ ଯିବାକୁ ମଙ୍ଗୁ ନଥିବା ଗ୍ରାମବାସୀ କହିଛନ୍ତି। ଗାଁରେ ଲୋକଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି।ଲାଇନ କଟିଗଲେ ଲୋକେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଲୋକେ ଅନ୍ଧାରରେ ରାତି କାଟୁଛନ୍ତି।ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମବାସୀ ବହୁବାର ପଞ୍ଚାୟତ କତୃପକ୍ଷ, ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କଲେ ବି କେହି ଶୁଣୁ ନଥିବା ଗ୍ରାମର ଗାଁ ମୁଖିଆ ଦୟା ଗୋଲରି, ନାରାୟଣ ଗୋଲରି, ସୁବ୍ରୀ ଖରା, ଘାସି ଖିଲ, ରାମଦାସ ଖିଲ, ସଫାଇ ଖରା, ଅମ୍ବେ ଖିଲ, ସୋମି ଖିଲ, ରୂପଡେଇ ଗୋଲରି ମିଲୁ ଖିଲଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଉକ୍ତ ଗ୍ରାମକୁ କିଛି ଦିନ ପୂର୍ବେ ଯାଇଥିଲି। ଏହି ଗାଁରେ ଯେତେ ଗୁଡିଏ ସମସ୍ୟା ରହିଛି ଖୁବ ଶୀଘ୍ର ସେଗୁଡିକର ସ୍ଥାୟୀ ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀ ସାହୁ କହିଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


