ସମ୍ବଲପୁର/ବରପାଲି:ତା-୦୯/୦୨(ବିଏମସି ଟିଭି ଓଡିଆ)
ଫାଇଲେରିଆ ବା ବାତଜ୍ୱର ନିରାକରଣ ଲକ୍ଷ୍ୟରେ ଆସନ୍ତା ଫେବୃୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବରପାଲି ବ୍ଲକର ଗ୍ରାମାଞ୍ଚଳରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କମ୍ୟୁନିଟି ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ରାଜେଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଫାଇଲେରିଆ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ବଲ୍ଲଭ ମହାନ୍ତି, ଜିଲ୍ଲା ଫାଇଲେରିଆ କାର୍ଯ୍ୟକ୍ରମ ଅଧିକାରୀ ଜବକିମସୋମ୍ ପ୍ରଧାନ, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଆଲୋକ ପଟେଲ, ବରପାଲି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଶଶୀକାନ୍ତ ତ୍ରିପାଠୀ, ଜିଲ୍ଲା ମାଲେରିଆ ଗବେଷଣା ଓ ନିୟନ୍ତ୍ରଣ ମୁଖ୍ୟାଳୟ (DMRCH), ବରଗଡ଼ର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ କୃଷ୍ଣଚନ୍ଦ୍ର ଲୁହା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ, ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ ସୁବାସ ଚନ୍ଦ୍ର ନନ୍ଦ ଓ କୀଟଜନିତ ରୋଗ ବୈଷୟିକ ସହାୟକ ଡୋଲାମଣି ଦାସ ଉପସ୍ଥିତ ରହି ଫାଇଲେରିଆ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବରପାଲି ବ୍ଲକର ଲେଣ୍ଡା ଓ କୃଷକପଲ୍ଲୀ ଅଞ୍ଚଳର କିଛି ଲୋକଙ୍କ ମଧ୍ୟରେ ଫାଇଲେରିଆ ସଂକ୍ରମଣ ରହିଥିବା ବେଳେ, ଏହାର ମୁଳୋତ୍ପାଟନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଥିବା କୁହାଯାଇଛି। ବ୍ଲକ ଅଞ୍ଚଳରେ ପ୍ରାୟ ୯୨,୬୧୧ ଜଣ ଲୋକଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ଧରାଯାଇଛି। ଏହି ଅବଧିରେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକଟିନ ଔଷଧ ସେବନ କରାଇବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଔଷଧ ସୁରକ୍ଷିତ ବୋଲି କୁହାଯାଇଥିବାବେଳେ, ଗର୍ଭବତୀ ମହିଳା ଓ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଔଷଧ ଦିଆଯିବ ନାହିଁ। ସମସ୍ତଙ୍କୁ ଔଷଧ ପ୍ରଦାନକାରୀଙ୍କ ସାମ୍ନାରେ ନିଶ୍ଚୟ ଔଷଧ ସେବନ କରିବାକୁ ଅନୁରୋଧ କରାଯାଇଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ବରପାଲି ବ୍ଳକରେ ଫାଇଲେରିଆ ମୁଳୋତ୍ପାଟନ ପାଇଁ ସାମ୍ବାଦିକ ସମ୍ମିଳନୀ


