କୋରୁକୋଣ୍ଡା: ତା -୦୯/୦୨(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ‘ଏକତା ଚାଇଲ୍ଡ ଫଣ୍ଡ’ ଆନୁକୁଲ୍ୟରେ ଏକ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ମଞ୍ଜୁଳା ଶିଶା, ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଜୟଶ୍ରୀ ଜେନା, ସୋମନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କିଶୋର ଖୋସଲା, ସମନ୍ୱିତ ଶିଶୁ ବିକାଶ ଯୋଜନା ସୁପରଭାଇଜର ରଜନୀ ବେହେରା, ଅଙ୍ଗନବାଡ଼ି ଓ ଆଶା କର୍ମୀ,ଅଭିଭାବକ, ଶିକ୍ଷକ, ୱାର୍ଡ଼ ମେମ୍ବର ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଓ ଏନେଇ କଣ ଆଇନଗତ ସହାୟତା ରହିଛି ତାହା ଉପରେ ଆଲୋକପାତ କରାଯାଇଥିଲା।ଯଦି ଶିଶୁ ନିର୍ଯାତନା ନେଇ ଅଭିଯୋଗ ଆସେ ତାହାହେଲେ ସେହି ମାମଲା କେଉଁଠି ଓ କିପରି ରୁଜ୍ଜୁ କରାଯିବ ସେନେଇ ମଧ୍ୟ କର୍ମଶାଳାରେ ଆଲୋଚନା କରାଯାଇଥିଲା। ପ୍ରଥମେ ଅଭିଭାବକ ସଚେତନ ହେଲେହିଁ ଶିଶୁ ସୁରକ୍ଷିତ ରହି ପାରିବ ଓ ବାଲ୍ୟ ବିବାହକୁ ବିରୋଧ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା।ଏଥିପାଇଁ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ହେବ ବୋଲି ଉପସ୍ଥିତ ଅଧିକାରୀ ବୁଝାଇଥିଲେ।ଶିଶୁଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଯଥା ସମ୍ଭବ ମୋବାଇଲ୍ ଫୋନ ଠାରୁ ଦୁରେଇବାକୁ ହେବ ବୋଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଖୋସଲା କହିଥିଲେ।କାର୍ଯ୍ୟକ୍ରମକୁ ଏକତା ଚାଇଲ୍ଡଫଣ୍ଡର ଅଭିମନ୍ୟୁ ରଗଡ଼ି ପରିଚାଳନା କରିଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


