ସମ୍ବଲପୁର/ବରପାଲି:ତା-୧୧/୦୨(ବିଏମସିଟିଭି ଓଡିଆ)
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଦିନେଶ ଗହୀରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ବୈଠକର ପ୍ରାରମ୍ଭିକ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ । ବୈଠକରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବରଗଡ଼ ସାଂସଦ ପ୍ରତିନିଧି ପଦ୍ମଲୋଚନ ସାହୁ ଯୋଗଦେଇ ବିଗତ ସାଧାରଣ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ତାର କାର୍ଯ୍ୟକାରୀ ଓ ଦୃଢ଼ି କରଣ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ ଭାବରେ ସହରର ମୁଖ୍ୟ ଜାତୀୟ ରାଜପଥରେ ବିଦ୍ୟୁତିକରଣ ଓ ଉନ୍ନତିମୂଳକ କାର୍ଯ୍ୟଗୁଡିକ ଟେଣ୍ଡର ହୋଇଥିଲେ ହେଁ ତୁରନ୍ତ କାର୍ଯ୍ୟକାରୀ ହୋଇପାରୁନଥିବା ଏବଂ ଏନଏସି ଅଂଚଳର ଉନ୍ନତିକରଣ ପାଇଁ ଏକ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଦିଗରେ ଉପସ୍ଥିତ କାଉନସିଲର ମାନେ ଅଭିଯୋଗ ଆଣିଥିଲେ। ଏନେଇ ଅଧ୍ୟକ୍ଷ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ଏନେଇ ବିଧାୟକ ସନତ ଗଡ଼ତିଆ ଏଦିଗରେ ପୂର୍ବରୁ ପିଡିଙ୍କ ସହିତ ଆଲୋଚନା କରିଥିଲେ ଏବଂ ତୁରନ୍ତ ଏହାର ସମାଧାନ ନିମନ୍ତେ କନିଷ୍ଠ ଯନ୍ତ୍ରୀ ପାଇଁ ଆଲୋଚନା କରି ଏହାର ସମାଧାନ କରାଯିବା ନିମନ୍ତେ କହିଥିଲେ । ଏତତ୍ ବ୍ୟତୀତ ସହରର ଭିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ତାର ତୁରନ୍ତ ସମାଧାନ କରାଯିବା ସହ ସହରକୁ ଐତିହ୍ୟ ଗ୍ରାମ ଭାବରେ ରାଜ୍ୟ ସରକାର ଘୋଷଣା କରିଥିବାରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟ ନିଶ୍ଚିତ ଭାବରେ ହେବା ସହ ସୋହେଲା- ବରପାଲି-ରାମପୁର ରାସ୍ତା ଏବଂ ବରଗଡ଼-ବଲାଙ୍ଗୀର ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ତୁରନ୍ତ ବାଇପାସ ରାସ୍ତା ନିର୍ମାଣ କରାଯିବା ପାଇଁ ବିଧାୟକ ଜଣାଇଥିଲେ । ଏହା ସହ ସହରବାସୀ ଶବ ଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାରୁ ତୁରନ୍ତ ସ୍ଵର୍ଗଦ୍ବାର ନିର୍ମାଣ ପାଇଁ ଦାବୀ ହୋଇଥିଲା । ଏହି ଅବସରରେ ଏନ୍ଏସି ସଂଲଗ୍ନ ନୃପଲାଲ ଉଦ୍ୟାନକୁ ବିଧାୟକ ଉଦ୍ଘାଟନ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ


