ରାୟଗଡ଼ା: ତା -୧୩/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ସହର ଉପକଣ୍ଠ ପିତାମହଲ ସ୍ଥିତ ସେଞ୍ଚୁରୀଆନ ବିଶ୍ୱବିଦ୍ୟାଳୟ (ସିୟୁଟିଏମ) ପକ୍ଷରୁ ଚଳିତ ବର୍ଷର ବାର୍ଷିକ ଉତ୍ସବ ‘ସେନଫେଷ୍ଟ ୧୨. ୦’ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। “ଜୀବନ ଗଠନ ଏବଂ ସମାଜର ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରତିଭା ଓ ଅଗ୍ରଗତିର ଝଲକ ଦେଖିବାକୁ ମିଳିଥିଲା। ଅଧ୍ୟାପକ ପେଲ୍ଲୁରି ରବିତେଜା କାର୍ଯ୍ୟକ୍ରମଟି ସଂଚାଳନ କରିଥିଲେ। ପ୍ରତିଭା ଓ ଦୂରଦୃଷ୍ଟିର ସମାଗମରେ ଭରପୁର ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଡ଼ଃ. ପ୍ରଶାନ୍ତ କୁମାର ମହାନ୍ତି (ସେଞ୍ଚୁରୀଆନ ୟୁନି ଭରସିଟି କୁଳପତି, ଆନ୍ଧ୍ର ପ୍ରଦେଶ କ୍ୟାମ୍ପସ) ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିଦ୍ ଏବଂ ରାୟଗଡ଼ା ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ପ୍ରଫେସର ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଢ଼ୀ ଉପସ୍ଥିତ ଥିଲେ। ରାୟଗଡା ସେଞ୍ଚୁରୀଆନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ରାଜେଶ କୁମାର ପାଢ଼ୀଙ୍କ ନେତୃତ୍ୱରେ କ୍ୟାମ୍ପସରେ ଦକ୍ଷତାଭିତ୍ତିକ ନୂତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଫଳତାକୁ ନେଇ ବିଶ୍ୱବିଦ୍ୟାଳୟର ଡ଼. ଉର୍ମିଳା କାଟେ ବାର୍ଷିକ ବିବରଣୀ ଉପସ୍ଥାପନ କରି କ୍ୟାମ୍ପସର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ |

ଫାର୍ମାସୀ ବିଭାଗରେ ୧୨୩ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୦% ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
ନର୍ସିଂ ବିଭାଗରେ ୨୦୨୩ବର୍ଷରେ ଆରମ୍ଭ ହୋଇଥିବା ବିଭାଗର ପ୍ରଥମ ବ୍ୟାଚର ୯୮ % ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି। ଶ୍ରେଷ୍ଠ ଛାତ୍ରୀ ଭାବେ ଏ. ଶ୍ୱେତା ସାଚିକା ୯.୪୬ ସିଜିପିଏ ସହ ଚାରୋଟି କ୍ୟାମ୍ପସ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରି ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି।
କର୍ପୋରେଟ୍ ନିଯୁକ୍ତି କ୍ଷେତ୍ରରେ ୪୩ ଜଣ ବି.ଫାର୍ମ ଛାତ୍ରଛାତ୍ରୀ ଡ଼ଃ . ରେଡ୍ଡୀ ଲାବୋରାଟୋରିଏସ ଓ ଭାରତ ବାୟୋଟେକ ପରି ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ସରକାରୀ ସେବାରେ ସଫଳତା ଭିତରେ
ଚଳିତ ବର୍ଷ ଓଡିଶା ସବ ଅର୍ଡିନେଟ ଷ୍ଟାଫ୍ ସେଲେକ୍ସନ କମିଶନ (ଓଏସଏସଏସସି ) ପରୀକ୍ଷାରେ ୬ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ସରକାରୀ ସେବାରେ ନିଜ ସ୍ଥାନ ପକ୍କା କରିଛନ୍ତି। ପ୍ରଣୟ ଗୌଡ଼, ହେମସୁର ଏଡସଲା, ସୁରେଶ ପାସୁପୁରେଡ଼ି (ଏମପିଏଚଡବ୍ଲୁ ) ଏବଂ କର୍ଣ୍ଣେଲ ନାୟକ, କିଶୋର ସବର ଓ ମାନସମିତା ଗରାଡ଼ିଆ (ଫାର୍ମାସୀ ଅଫିସର) ଭାବେ ନିଯୁକ୍ତି ପାଇ ବିଶ୍ୱବିଦ୍ୟାଳୟର ସୁନାମ ବଢ଼ାଇଛନ୍ତି। ସମାଜସେବା କାର୍ଯ୍ୟକ୍ରମ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ “ହେଲଥ କେୟାର ଅନ ହୁଇଲ୍ସ ” ମାଧ୍ୟମରେ ଦୁର୍ଗମ ଆଦିବାସୀ ଅଞ୍ଚଳରେ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଉଛି ବୋଲି ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପାଢ଼ୀ କହିଥିବା ବେଳେ ଏଥିସହ ୧୫୦ରୁ ଅଧିକ ନର୍ସିଂ ଛାତ୍ରଛାତ୍ରୀ ବିଶ୍ୱ ଏଡ୍ସ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା କରି ସାମାଜିକ ଦାୟିତ୍ୱ ବୋଧର ପରିଚୟ ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇ ସମ୍ମାନିତ କରାଯାଇଥିଲା।
ବିଏମସି ନ୍ୟୁଜ ଓଡ଼ିଶା ।


