ବାଲିମେଳା: ତା -୧୫/୦୨(ବିଏମସି ଟିଭି ଓଡ଼ିଆ)
ମହା ଶିବରାତ୍ରି ଉପଲକ୍ଷେ ମାଲକାନଗିରି ଜିଲ୍ଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ଅଧୀନସ୍ତ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଅଗଣିତ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।ବିଶେଷ କରି ବାଲିମେଳା ସହରରେ ଥିବା ଆଖଣ୍ଡଳମଣି ମନ୍ଦିର, ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବ ମନ୍ଦିର,କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଥିବା ଶୂଳିଆ ପାହାଡ଼ ଶୈବପୀଠ,କାମ୍ବେଡା ଶିବ ମନ୍ଦିର,ଖଡ଼ିକାଯୋଡି ଶିବ ମନ୍ଦିର, ନୀଳାଦ୍ରୀ ନଗରରେ ଥିବା ଗଣେଷ ମନ୍ଦିର, ସୋମନାଥପୁର ପଞ୍ଚାୟତରେ ଥିବା କଣ୍ଡେଲ ଶିବ ମନ୍ଦିର,ତାର୍ଲାକୋଟା ନିକଟସ୍ଥ ଶୀଧେଶ୍ୱର ପୁର ମନ୍ଦିର,ବାଲିମେଳା ଛକ ନିକଟ ରାଜ ଲିଙ୍ଗେଶ୍ୱର ମନ୍ଦିର,ପୁରୁଣା ଓର୍କେଲରେ ଥିବା ବହୁ ପୁରାତନ ଶୈବପୀଠ,ବାଲିମେଳା ସହରର ଡ୍ରଗ ଲାଇନରେ ଥିବା ତ୍ରିନାଥ ମନ୍ଦିର,ନାକାମାମୁଡି ପଞ୍ଚାୟତରେ ଥିବା ଖଡ଼ିକା ଯୋଡି ଶିବ ମନ୍ଦିର ଏବଂ ଡ଼ାଇକ-୨ ରେ ଥିବା ଶିବ ମନ୍ଦିର ଓ ବିଭିନ୍ନ ଗ୍ରାମରେ ଥିବା ସମସ୍ତ ଶୈବପୀଠରେ ରବିବାର ରୀତିନୀତି ଅନୁଯାୟୀ ମହା ଶିବରାତ୍ରୀ ବହୁ ଆଡମ୍ବର ସହିତ ପାଳନ କରାଯାଇଛି।ଉପରୋକ୍ତ ଶୈବପୀଠ ମାନଙ୍କରେ ରବିବାର ଭୋର ୪ ଟାରୁ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରିବା ସହ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା କରିଥିଲେ।ପ୍ରତ୍ୟକ ମନ୍ଦିରରେ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ଜାରୀ ରହିଛି।ଓଁ ନମ ଶିବାୟରେ ଦେବାଳୟ ଗୁଡିକ ପ୍ରକମ୍ପିତ ହୋଇଥିଲା।ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା ସହ ଦୀପ ଜାଳିଥିଲେ।ବିଭିନ୍ନ ଶୈବପୀଠରେ ଭକ୍ତ ମାନେ ଉଜାଗର ରହି ଜାଗର ପାଳିଥିଲେ।ବିଭିନ୍ନ ମନ୍ଦିରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ସୁ ବନ୍ଦୋବସ୍ତ କରାଯାଇଥିଲା। କିଛି ମନ୍ଦିରରେ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମନ୍ଦିର ନିକଟରେ ଆଦିବାସୀ ନାଟ ପରିବେଷଣ କରାଯାଇଥିଲା। ବହୁ ମନ୍ଦିର ନିକଟରେ ବହୁ ଅସ୍ଥାୟୀ ଦୋକାନ ବଜାର ଖୋଲା ଯାଇଥିବା ଦେଖିବାକୁ ମିଳିଛି। ମହାଶିବରାତ୍ରୀ ଉପଲକ୍ଷେ ମନ୍ଦିର ମାନଙ୍କରେ ହେଉଥିବା ଭକ୍ତ ମାନଙ୍କର ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଏବଂ କୋରୁକୋଣ୍ଡା ସଦର ଥାନା ଅଧିକାରୀ ଆର ବିଜୟ କୁମାରଙ୍କ ନେତୃତ୍ୱରେ ନିଜ ନିଜ ଅଞ୍ଚଳରେ ଥିବା ଶିବ ମନ୍ଦିର ନିକଟରେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମୁତ୍ତୟନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


