ସମ୍ବଲପୁର/ସରଣ୍ଡା: ତା -୧୫/୦୨ (ବିଏମସି ଟିଭି ଓଡିଆ)
ମହାଶିବରାତ୍ରୀ ମହୋତ୍ସବ ଉପଲକ୍ଷେ ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ମହୋତ୍ସବକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ହୋଇଛି । ବିଭିନ୍ନ ମାନସିକ ନେଇ ଭକ୍ତ, ଶ୍ରଦ୍ଧାଳୁ ଶୈବପୀଠଗୁଡିକରେ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ର ବିଭିନ୍ନ ଶିବ ମନ୍ଦିରରେ ବଡ଼ି ଭୋରରୁ ପ୍ରଭୁ ମହାଦେବଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନଙ୍କ ଆଗମନ ଆରମ୍ଭ ହୋଇଥିଲା। ସମ୍ବଲପୁର-ବରଗଡ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଅଷ୍ଟଶମ୍ଭୁ ବାବା ବିଶ୍ୱେଶ୍ୱରଙ୍କ ସରଣ୍ଡା ସ୍ଥିତ ମନ୍ଦିରରେ ଭୋର୍ ସକାଳୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦିନତମାମ ହଜାର ହଜାର ଭକ୍ତଙ୍କ ସମାଗମରେ ମନ୍ଦିର ପରିସର ଓ ବାହାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଲୋକମୁଖରୁ ଜଣାଯାଏ ଯେ ମାନସିକଧାରୀମାନେ ପବିତ୍ର ମନରେ ବାବା ବିଶ୍ୱେଶ୍ୱରଙ୍କ ଦର୍ଶନ ଏବଂ ଆରାଧନା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଆଶାରଖି ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ବାବା ବିଶ୍ୱେଶରଙ୍କ ଦର୍ଶନ ସହ ପୂଜାପାଠ କରିଥିଲେ। ଗତ ମାସରେ ଏଠାରେ ପ୍ରତିଷ୍ଠା ପାଇଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ଭକ୍ତମାନେ କୃତାର୍ଥ ହୋଇଥିଲେ।ଭଜନ-କୀର୍ତ୍ତନରେ ପବିତ୍ରମୟ ହୋଇଉଠିଥିବା ପୀଠ ସ୍ଥଳୀରେ ଭକ୍ତଙ୍କ ପାଇଁ ପାନୀୟଜଳ ଓ ଅନ୍ନଭୋଗର ସୁବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଯାନବାହାନ ଓ ଭିଡ଼ ନିୟନ୍ତ୍ରଣ କରାଯାଇଥିଲା। ମନ୍ଦିର ପ୍ରଶାସନର ସୁପରିଚାଳନାରେ ଅନୁଷ୍ଠିତ ଏହି ଜାଗର ପର୍ବ ଶାନ୍ତି ଶୃଙ୍ଖଳାରେ ସମାପିତ ହୋଇଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


