ସମ୍ବଲପୁର ; ତା.୨୪/୧୧ (ବିଏମସି ଟିଭି ଓଡିଆ )
ଜମନକିରା ବ୍ଲକ ଡିମିରିମୁଣ୍ଡା ସ୍ଥିତ ଭାରତ ମୟ ଆଶ୍ରମ ପରିସରରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଆଜି ଉଦ୍ଯାପିତ ହୋଇଯାଇଛି ।ଏହି କର୍ମଶାଳାରେ ପ୍ରାଥମିକ ଶିକ୍ଷା, ଆରୋଗ୍ୟ ଶିକ୍ଷା, ଗ୍ରାମ ବିକାଶ ଶିକ୍ଷା, ଜାଗରଣ ଶିକ୍ଷା ଓ ସଂସ୍କାର ଶିକ୍ଷା ଆଦି ପାଞ୍ଚ ଦିବସୀୟ ଶିକ୍ଷା ଉପରେ ତାଲିମ ଦିଆଯାଇଥିଲା । ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ଓ ଦେଶ ଗଠନ ପାଇଁ ଏକଲ ଅଭିଯାନର ଆଚାର୍ଯ୍ୟ ଓ ଆଚାର୍ଯ୍ୟ ମାନେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଭାରତ ମୟ ଆଶ୍ରମର ବାବା ଶିବାନନ୍ଦ ଜୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଅଭିଯାନ କାର୍ଯ୍ୟକରୁ ବୋଲି ପରାମର୍ଶ ଦେଇଥିଲେ । ଅଭିଯାନର ସମ୍ବଲପୁର ଜିଲ୍ଲା ପ୍ରମୁଖ ପ୍ରଦୀପ ସ୍ୱାଇଁଙ୍କ ସଭାପତିତ୍ବ ଓ ଜମନକିରା ବ୍ଲକ ପ୍ରମୁଖ ଜଗଦୀଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଉପଖଣ୍ଡ ଅନ୍ତର୍ଗତ ଷାଠିଏଟି ଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରର ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପାଞ୍ଚ ଦିନ ଶିବିରାର୍ଥି ଭାବରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷା ଜିଲ୍ଲା ପ୍ରମୁଖ ଶଶି ନାଏକ, ରାଜ୍ୟକୁ ଜିଲ୍ଲାର ପ୍ରତିନିଧି ବିନୟ ପୃଷେଠ, ବାମରା ବ୍ଲକର ପ୍ରମୁଖ ତୁଷାର ନାଏକ ପ୍ରମୁଖ ବିଭିନ୍ନ ବର୍ଗ ଉପରେ ତାଲିମ ଦେଇଥିଲେ । ଶିବିରାର୍ଥିମାନଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ସୁଦୀପ ବାଘ, ଶୁକମନି କିସାନ ଓ ଜୟନ୍ତୀ ନିଖଣ୍ଡିଆଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଗୁରୁ ଚରଣ ରଣା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରୁଥିବା ବେଳେ ଶେଷରେ କୁଚିଣ୍ଡା ବ୍ଲକ ସଭାପତି ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।


