ବେଲଗୁଣ୍ଠା: ତା -୨୪/୦୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସୋମବାର ସନ୍ଧ୍ୟାରେ ସୋରଡା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଅଧିକାରୀ ପ୍ରତାପ କୁମାର ବିଷୋୟୀ, ଜଳ ସମ୍ପଦ ସହକାରୀ ନିର୍ବାହି ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର , ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ । ମୀନାବଜାର ଉଦ୍ଘାଟନ ହେବା ପରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଏବଂ ଦୋଳି ନିକଟରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ନିମପଦରରୁ ଆସିଥିବା ରୋଶନ୍ କଳାକୁଞ୍ଜ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଛି ।

ବିଶେଷ କରି ହେଲିକେପ୍ଟର, ୱାଟର୍ କିଙ୍ଗଡମ୍,ଡ୍ରାଗନ୍ ନିକଟରେ ଛୋଟ ଛୁଆଙ୍କ ମନ କିଣି ନେଉଛି । ସେହିପରି ମନ୍ଦିରର ସାଜସଜ୍ଜା, ଆକର୍ଷଣୀୟ ଶବ୍ଦ, ଆଲୋକ ମାଳାରେ ଗ୍ରାମ ଝଲସି ଉଠୁଛି । ଏହି ମନ୍ଦିର ଓଡ଼ିଶାର ସବୁଠାରୁ ବଡ଼ କାଳୀ ମନ୍ଦିର ବୋଲି ଗ୍ରାମବାସୀ ଦାବୀ କରିଛନ୍ତି । ଗତ କୋଡିଏ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ କାର୍ଯ୍ୟକ୍ରମରେ ଗ୍ରାମବାସୀ, ଗ୍ରାମର ଯୁବ ଗୋଷ୍ଠୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଯଜ୍ଞ ଦେଖିବା ସହିତ ପ୍ରସାଦ ସେବନ ଏବଂ ମୀନା ବଜାରର ମଜା ନେବା ପାଇଁ ଭଞ୍ଜନଗର, ସୋରଡା, ବୁଗୁଡ଼ା, ଜଗନ୍ନାଥପ୍ରସାଦ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


