ସମ୍ବଲପୁର/ବରପାଲି:ତା-୨୫/୦୨ (ବିଏମସି ଟିଭି ଓଡ଼ିଆ)
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶାନ୍ତିନଗର ପଡାରେ ଦେବାଧିଦେବ ଆଶୁତୋଷ ବାବାଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୌରାଣିକ କଥା ବସ୍ତୁ ଆଧାରିତ ରାମାୟଣର ସୀତା ବିବାହୋତ୍ସବ ଧୁମ୍ଧାମ୍ରେ ପାଳିତ ହୋଇଥିଲା। ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ବିବାହୋତ୍ସବରେ କନ୍ୟା ପିତାମାତା ଭାବରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସାହୁ ଓ ଧର୍ମପତ୍ନୀ ପ୍ରଭାତୀ ସାହୁ କର୍ତ୍ତା ଭାବେ କାର୍ଯ୍ୟଭାର ତୁଲାଇଥିଲେ। ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ପାରମ୍ପାରିକ ରୀତିନୀତି ଅନୁଯାୟୀ ହୋଇଥିଲା। ସେହିପରି ଆଶୁତୋଷ ବାବାଙ୍କ ମନ୍ଦିର ପୂଜାର୍ଚ୍ଚନା କାର୍ଯ୍ଯରେ କର୍ତ୍ତା ଭାବେ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଜୟନ୍ତୀ ପଣ୍ଡା କାର୍ଯ୍ଯଭାର ନିର୍ବାହ କରିଥିଲେ। ଆଜି ପୂର୍ବାହ୍ନରେ ମହିଳାମାନଙ୍କ ଏକ ଭବ୍ୟ କଳସ ଶୋଭାଯାତ୍ରା ମନ୍ଦିରରୁ ବାହାରି ନଗର ପରିକ୍ରମା ମାଧ୍ୟମରେ କେନାଲରେ ପହଞ୍ଚିଥିଲା। ସେଠାରେ ସିଦ୍ଧିକାର୍ଯ୍ଯ ସମାପ୍ତି ପରେ କଳସ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ଅଣାଯାଇଥିଲା। ପୂଜକ ଭାବେ ପଣ୍ଡିତ କିଶୋର କୁମାର ମିଶ୍ରଙ୍କ ସମେତ ସହଯୋଗୀ ଆଚାର୍ଯ୍ଯମାନେ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ। ଏହି ପରିପ୍ରେକ୍ଷୀରେ ଭଜନ କୀର୍ତ୍ତନ ରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଅନୁଷ୍ଠିତ ଉତ୍ସବରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଆଶୁତୋଷ ବାବାଙ୍କ ବାର୍ଷିକୋତ୍ସବ ଓ ସୀତା ବିବାହ ମହୋତ୍ସବ ପାଳିତ


