ବାଙ୍କୀ: ତା -୦୧/୦୩(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ, ବାଙ୍କୀର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମନ୍ତ୍ରୀସାହି, ଶିଶୁଆ, ଚକାପଦା, ସୁବର୍ଣ୍ଣପୁର ଆଦି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ବିଭିନ୍ନ କ୍ଲବ ଓ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରିବା ସହିତ ଅଧିକରୁ ଅଧିକ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ରକ୍ତ ଦାନ ଶିବିରରେ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଏହି ଅବସରରେ ସବୁଜ ବାହିନୀ, ଢଁସର ତରଫରୁ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ଆଦର୍ଶ ଯୁବ ପରିଷଦକୁ ଶ୍ରେଷ୍ଠ ରକ୍ତଦାତା ଅନୁଷ୍ଠାନ ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ଭାବରେ ବିବେକାନନ୍ଦ ଷ୍ଟଡି ସର୍କଲର ପ୍ରତିଷ୍ଠାତା ରମାକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଯୁବ ସମାଜସେବୀ ଅବିନାଶ ପଟ୍ଟନାୟକ, ସଭାପତି ସୁରେନ୍ଦ୍ର କୁମାର ପଣ୍ଡା, ସଂଗଠକ ସନ୍ତୋଷ କୁମାର ଜେନା ଓ ପ୍ରୀତି ରଞ୍ଜନ ପଣ୍ଡାଙ୍କଠାରୁ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ବରିଷ୍ଠ ସଦସ୍ୟ ମନୋଜ କୁମାର ରାଉତ, ଲଲାଟେନ୍ଦୁ ପଣ୍ଡା ଓ କାର୍ଯ୍ୟକାରୀ ସଦସ୍ୟା ସବିତା ମଲ୍ଲିକ ଉପସ୍ଥିତ ରହି ମାନପତ୍ର ଓ ଉପଢୌକନ ଗ୍ରହଣ କରିଥିଲେ। ଆଦର୍ଶ ଯୁବ ପରିଷଦର ବରିଷ୍ଠ କାର୍ଯ୍ୟଧାରାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ସବୁଜ ବାହିନୀ ଢଁସରର ଏତାଦୃଶ କାର୍ଯ୍ୟଧାରା ପାଇଁ ପରିଷଦ ତରଫରୁ ମଧ୍ଯ ସାଧୁବାଦ ଜଣାଯାଇଛି ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


