ସମ୍ବଲପୁର/ଗୋଡଭଗା:ତା-୦୧/୦୩ (ବିଏମସି ଟିଭି ଓଡିଆ)
ଜଣେ ଶିକ୍ଷକ ଗଢ଼ନ୍ତି ଶହ ଶହ ଭବିଷ୍ୟତ, କିନ୍ତୁ ଜଣେ ପ୍ରତିଷ୍ଠାତା ଶିକ୍ଷକ ଗଢ଼ନ୍ତି ଏକ ଅନୁଷ୍ଠାନ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ବାଳମୁକୁନ୍ଦ ସାହୁଙ୍କ ସେବା ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ଅଭୂତପୂର୍ବ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସେବା ଓ ନିଷ୍ଠା ପରେ ତାଙ୍କର ଅବସର ଗ୍ରହଣ ସମୟରେ ସମଗ୍ର ଅଞ୍ଚଳରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭକ୍ତ ମଲ୍ଲିକଙ୍କ ସଭାପତିତ୍ବ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ ଶିକ୍ଷାଦାନ ଶୈଳୀ ଏବଂ ବିଦ୍ୟାଳୟ ପ୍ରତି ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟର ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ମେହେର, ପ୍ରଥମ ସଭାପତି କୁଶ ସାହୁ, ଓଷ୍ଟା ରାଜ୍ୟ ସହ ସମ୍ପାଦକ ଆଶୁତୋଷ ରଥ, ଓଷ୍ଟା ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ପ୍ରଧାନ ଓ ରବୀନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା ସମୟର ସଂଘର୍ଷ ଏବଂ ଶ୍ରୀଯୁକ୍ତ ସାହୁଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ବେହେରା ସଭା ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠା କାଳରୁ ସେ ଯେଉଁ ସଂଘର୍ଷ ଓ ତ୍ୟାଗ କରିଛନ୍ତି, ତାହାକୁ ମନେ ପକାଇ ଉପସ୍ଥିତ ଅତିଥି ଓ ଶିକ୍ଷକବୃନ୍ଦ ଭାବବିହ୍ୱଳ ହୋଇପଡ଼ିଥିଲେ। ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ପ୍ରତିନିଧି ଗୋବିନ୍ଦ ମେହେର ଭାବ ବିହ୍ୱଳ ହୋଇ କହିଥିଲେ ଯେ ବାଳମୁକୁନ୍ଦ ସାର୍ କେବଳ ଏହି ସ୍କୁଲର ପ୍ରଧାନ ଶିକ୍ଷକ ନଥିଲେ, ସେ ଥିଲେ ଏହି ଅନୁଷ୍ଠାନର ସ୍ଥପତି। ତାଙ୍କ ଅବସର ପରେ ସ୍କୁଲ୍ ପରିସରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ପୁରାତନ ଛାତ୍ର ତଥା ଆଲୁମିନି କମିଟିର ସଦସ୍ୟ ସଦସ୍ୟା, ଗ୍ରାମବାସୀ ସମସ୍ତେ ଶ୍ରୀଯୁକ୍ତ ସାହୁଙ୍କ ମାର୍ଗଦର୍ଶନରେ ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠିତ। ତାଙ୍କର ଶୃଙ୍ଖଳିତ ଜୀବନ ଓ ଶିକ୍ଷାଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି କହିଥିଲେ।ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାରୋହରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅବସରପ୍ରାପ୍ତ ଶିକ୍ଷକ ଓ ଶତାଧିକ ଅଭିଭାବକ ଉପସ୍ଥିତ ରହି ତାଙ୍କର ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ। ସମାରୋହର ମୁଖ୍ୟ ଆକର୍ଷଣ ଥିଲା ଭବ୍ୟ ପଟୁଆରରେ ଶ୍ରୀଯୁକ୍ତ ସାହୁଙ୍କୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ପ୍ରତି ଘରେ ତାଙ୍କର ପାଦ ଧୌତ, ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଲୁମିନା କମିଟିର ସଭାପତି ମାଲେଶୁ ରାଓ, ସତେଶୁ, ସୁବାସ ଗଡତିଆ, ବୃନ୍ଦାବନ ମେହେର, ଗୁଣନିଧି ଗଡତିଆ , ପ୍ରମିସ୍ ବାରିକ୍ ଆଦି ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ଟୋପ ହାଇସ୍କୁଲର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ


