ସମ୍ବଲପୁର/ବରପାଲି : ତା-୧୨/୦୩ (ବିଏମସି ଟିଭି ଓଡିଆ)
ବରପାଲିର ଐତିହ୍ୟ ସମ୍ପନ୍ନ ଶୀତଳ ଷଷ୍ଠୀ ଯାତ୍ରାର ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଯାତ୍ରା କମିଟିର ଭଣ୍ଡାର ଗୃହ ନୃପଲାଲ୍ କ୍ଲବ ଠାରେ ବରପାଲିର ବହୁ ବିଶିଷ୍ଟ ପଣ୍ଡିତ ମାନେ ବିଭିନ୍ନ ପଞ୍ଜିକା ପଠନ କରି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି।ଚଳିତ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାରେ ଆସନ୍ତା ଏପ୍ରିଲ ୨୦ ତାରିଖ ସୋମବାର ଅକ୍ଷୟ ତୃତୀୟା ସକାଳେ ରୁଦ୍ରାଭିଷେକ ପରେ ସନ୍ଧ୍ୟା ୫.୪୦ ରେ ଯାତ୍ରାର ପ୍ରଥମ ପର୍ବ ଥାନଉଠା ପର୍ବ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ଏହା ପରଠାରୁ ଯାତ୍ରାର ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଚଳିତ ବର୍ଷ ଯାତ୍ରା ଆସନ୍ତା ଜୁନ ୧୫ ତାରିଖ ଦିନ ଠାରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଅଛି। ଜୁନ ୧୫ ତାରିଖ ପ୍ରତିପଦା ସୋମବାର ସକାଳ ୮:୪୬ ମିନିଟ ପରେ ଭଣ୍ଡାର ଗୃହରେ ଶ୍ରୀ ନଟରାଜ ମୂର୍ତ୍ତି ସ୍ଥାପନ, ଅପରାହ୍ନ ୬.୩୫ ରେ ଯାତ୍ରକାରୀଙ୍କ ଦ୍ଵାରା କପିଳେଶ୍ୱର ବାବାଙ୍କୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଭଣ୍ଡାର ଗୃହକୁ ଆଗମନ, ଦ୍ଵିତୀୟା ୧୬ ତାରିଖ ମଙ୍ଗଳବାର ସକାଳ ୯.୪୫ ମିନିଟ ଗତେ ସମଲେଶ୍ଵରୀ ମନ୍ଦିର ସମ୍ମୁଖରେ ରୁଦ୍ର ଯଜ୍ଞର ଶୁଭାରମ୍ଭ, ରାତ୍ର ୧୦ ଘଣ୍ଟା ମଧ୍ୟେ ପାତ୍ରୀ ମନୋନୟନ କାର୍ଯକ୍ରମ ବୈଦିକ ରୀତିରେ ସମ୍ପନ୍ନ ହେବ। ତୃତୀୟା ବୁଧବାର ୧୭ ତାରିଖରେ ରାତ୍ର ୮ ଘଣ୍ଟାରେ ଭୈରବ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା, ଗୁରୁବାର ଚତୁର୍ଥୀ ୧୮ ତାରିଖ ଦିନ ସକାଳ ୯.୪୫ ମିନିଟ ପରେ ବୈଦିକ ରୀତିରେ ଗଣ୍ଠିଆଲ ଫିଟା, ହରିଦ୍ରା ଗଣଷଣ, ରାତ୍ର ୮.୩୦ ମିନିଟରେ ବରଧରା, ପରେ ରାତ୍ରରେ କପିଳେଶ୍ୱର ବାବାଙ୍କ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶୁକ୍ରବାର ପଞ୍ଚମୀ ତିଥିରେ ବିଶୁଦ୍ଧ କନ୍ୟା ଲଗ୍ନେ ମକର ନବଂଶେ ଦିବା ୧୨.୩୫ ରୁ ୧୨.୫୦ ମଧ୍ୟରେ ବୈଦିକ ରୀତିରେ ଦେବ ଦମ୍ପତିଙ୍କ ବିବାହ ପାଣି ଗ୍ରହଣ, ଶନିବାର ଷଷ୍ଠୀ ତିଥିରେ ସକାଳେ ହାକାରା ଭାର , ମଧ୍ୟାହ୍ନ ୧ ଟାରେ ରୁଦ୍ର ଯଜ୍ଞର ପୂର୍ଣ୍ଣାହୁତି, ଅପରାହ୍ନ ୪ ଟାରେ ବିଛା ଲଗ୍ନରେ ଦେବୀଙ୍କ ଶ୍ୱଶୁରାଳୟ ଆଗମନ। ରବିବାର ସକାଳ ୯.୪୦ ରେ ପରଭା ଉଠା, ରାତ୍ର ୧୦ ଘଣ୍ଟା ମଧ୍ୟେ ଦେବ ଦମ୍ପତି ଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରା ସମ୍ପନ୍ନ ହେବ। ଆଜିର ଏହି ଲଗ୍ନ ନିର୍ଦ୍ଧାରଣ ବୈଠକ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଣ୍ଡିତ ହେମନ୍ତ ମିଶ୍ର, ପଣ୍ଡିତ ପୀନାକି ଦାଶ, ପଣ୍ଡିତ ସଦାନନ୍ଦ ଦାଶ, ଡକ୍ଟର ସରୋଜ କୁମାର ଦାଶ, ପଣ୍ଡିତ ରବୀନ୍ଦ୍ର ଦାଶ, କୃଷ୍ଣଚନ୍ଦ୍ର ଦାଶ , ଲିପନ ଦାଶ, ଯାତ୍ରା କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ପଦ୍ମଲୋଚନ ସାହୁ, ବାଲକିଶୋର ଖାଡଙ୍ଗା , ବିନୋଦ ସୁଶାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ବିଏମସି ନ୍ୟୁଜ ଓଡ଼ିଶା।


