ଭୁବନେଶ୍ୱର ; ତା-୨୫/୧୧ ( ବିଏମସି ଟିଭି ଓଡ଼ିଆ)
ଆଜି ରୁଚିକା ସମାଜ ମଙ୍ଗଳ ସଙ୍ଗଠନ, ଖୋର୍ଦ୍ଧା ଜିଲ୍ଲା, ଶିଶୁ ସୁରକ୍ଷା ଶାଖା ଓ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ମିଳିତ ଆନୁକୁଲ୍ୟ ରେ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର ରବି ଟକିଜ୍ ସ୍କୋୟାର ଲତିକା କନଭେନସନ୍ ଠାରେ ଆୟୋଜିତ ଏକ ମହା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇ. ଜି. ଏସ.ସାଇନ୍ କହିଲେ ଗତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଭାରତରେ ୨୩ ଭାଗ ଶିଶୁ ବିବାହ ବୟସ ପୂର୍ବରୁ ବିବାହ କରୁଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଶତକଡା ୨୦ ଭାଗରୁ ଅଧିକ ।

ଓଡ଼ିଶାର ନବରଙ୍ଗପୂର୍ ଜିଲ୍ଲାରେ ଏହି ସଂକ୍ଷା ୩୯ ଭାଗ ଥିବା ବେଳେ ନୟାଗଡ ଜିଲ୍ଲାରେ ୩୬ ଭାଗ । ବାଲ୍ୟ ବିବାହକୁ ରୋକିବାକୁ ହେଲେ କେବଳ ଆଇନ୍ ଯଥେଷ୍ଟ ନୁହେଁ, ଏଥିପାଇଁ ଗୋଷ୍ଠୀ ସଚେତନତା, ଶିକ୍ଷାର ପ୍ରସାର, ଝିଅମାନଙ୍କୁ ଶିକ୍ଷା ଓ ତାଲିମ ପାଈଁ ପ୍ରୋତ୍ସାହନ ସହିତ ବାଲ୍ୟ ବିବାହ ନିରୋଧ ଆଇନ -୨୦୦୬ ର ସଠିକ୍ କାର୍ଯ୍ୟକାରିତା ଆବଶ୍ୟକ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ରାଜ୍ୟ ପରିଚାଳକ ପ୍ରିତିକାନ୍ତ ପଣ୍ଡା କହିଲେ ବାଲ୍ୟ ବିବାହ ଅର୍ଥ ପିଲାମାନଙ୍କ ସହିତ ଦୁଷ୍କର୍ମ। ଆମେ ସମସ୍ତେ ଏ କଥା ଜାଣିଲେ ମଧ୍ୟ ପରମ୍ପରାର ଦ୍ୱାହି ଦେଇ ଆମ ପିଲାଙ୍କ ଉପରେ ବିବାହ ଓ ପରିବାର ଚାଲାଇବାର ବୋଝ ଲଦି ଦେଉଛେ।

ଜଷ୍ଟ୍ ରାଇଟସ୍ ଫର୍ ଚିଲଡ୍ରେନ୍ ଆଲାଏନସ ର ଏକ ସଦସ୍ୟ ସଙ୍ଗଠନ ଭାବେ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ୪ ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା , ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସହଯୋଗରେ କାର୍ଯ୍ୟ କରି ବାଲ୍ୟ ବିବାହ ବିରୋଧ ଅଧିକାରୀ ଓ ପୋଲିସ ମାନଙ୍କ ସହିତ ମିଶି ଗତ ୨ ବର୍ଷ ମଧ୍ୟରେ ୬୭୦୦ ବାଲ୍ୟ ବିବାହ ବନ୍ଦ କରିବା ସହିତ ୬୧ ଟି କେସ୍ ଫାଇଲ୍ କରିଛି ଓ ପ୍ରାୟ ୧୨ ଲକ୍ଷ୍ୟ ସାଧାରଣ ଜନତା ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ଶପଥ ପାଠ କରିଛନ୍ତି ।

ଏତଦ୍ ବ୍ୟତୀତ ୫୨୩ ଶିଶୁ ଶ୍ରମିକ ତଥା ଚାଲାଣ ହେଉଥିବା ଶିଶୁଙ୍କୁ ଉଦ୍ଧାର କରି ୪୭୭ ଟି କେସ୍ ଫାଇଲ୍ କରିଛି ଓ ୨୦୯ ଟି ଶିଶୁ ଯୌନ ନିର୍ଯାତନା ମାମଲାରେ ସପୋର୍ଟ ପର୍ସନ ଯୋଗାଇ ପୀଡ଼ିତା ମାନଙ୍କୁ ସହାୟତା ପ୍ରଦାନ କରିଛି ବୋଲି ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ରୁଚିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ: ବେଣୁଧର ସେନାପତି।

କାର୍ଯକ୍ରମରେ ପ୍ରସ୍ତାବିତ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ପାଇଁ ସମସ୍ତ କାର୍ଯକ୍ରମ ହାତକୁ ନିଆଯିବ ବୋଲି କହିଥିଲେ ପୁରୀ ଶିଶୁ ମଙ୍ଗଳ ସମତିର ଅଧକ୍ଷ ପ୍ରଫେସର ଅଜିତ୍ କୁମାର ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ରଞ୍ଜିତା ପଣ୍ଡା, ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବାଗ୍ମିଶ୍ରୀ ଦାସ, ପୁରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଵାଣିଶ୍ରୀ ପଟ୍ଟନାୟକ, ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ଯକ୍ରମରେ ପରିବାର ଓ ଗୋଷ୍ଠୀ ଅପ ସଂସ୍କାର ବିରୁଦ୍ଧରେ ନିଜ ବାଲ୍ୟ ବିବାହକୁ ବନ୍ଦ କରି ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ବାର୍ତ୍ତା ପ୍ରଚାର କରୁଥିବା ୧୪ ଜଣ ଝିଅ ଓ ବାଲ୍ୟ ବିବାହ ବିରୁଦ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଗଧାଡ଼ିର ସରକାରୀ କର୍ମଚାରୀଙ୍କୁ ସାଇନିଙ୍ଗ ଲିଡରସିପ୍ ଆୱାଡ ରେ ସମ୍ମାନୀତ କରାଯାଇଥିଲା। କାର୍ଯ୍ଯକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ ମହିଳା ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ ନେଇଥିଲେ।

କାର୍ଯ୍ଯକ୍ରମରେ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ରୁଚିକା ସମାଜ ମଙ୍ଗଳ ସଙ୍ଗଠନର ସମ୍ପାଦକ ଶ୍ରୀ ଉମାଶଙ୍କର ଷଡ଼ଙ୍ଗୀ, ସଭାପତିତ୍ୟ କରିଥିଲେ ପ୍ରଫେସର ସବିତା ମହାନ୍ତି, ଧନ୍ୟବାଦ୍ୟ ଦେଇଥିଲେ ଗୌରାଙ୍ଗ ଚରଣ ତ୍ରିପାଠୀ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୁଚିକାର କର୍ମକର୍ତ୍ତା ରାମେଶ୍ୱରି ପ୍ରସାଦ ଦ୍ୱିବେଦୀ, ହେମନ୍ତ କୁମାର ସାହୁ, ଶିବାନୀ ନାୟକ, ହେମନ୍ତ କୁମାର ଦାସ ଓ ଅନ୍ୟ କର୍ମକର୍ତ୍ତା ମାନେ।

ଭୁବନେଶ୍ୱର ରୁ ସିଟି ରିପୋର୍ଟର ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


