ସମ୍ବଲପୁର/ବରପାଲି:ତା-୧୭/୦୩ (ବିଏମସି ଟିଭି ଓଡିଆ)
ଓଡ଼ିଆ ଭାଷା ସାହିତ୍ୟର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମାଧି ପୀଠ ଏବେ ଅବହେଳାର ଶିକାର ହୋଇଥିବା ଦେଖାଯାଉଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ସୁନ୍ଦର ଭାବେ ଗଢ଼ି ତୋଳାଯାଇଥିବା ଏହି ସମାଧି ସ୍ଥଳର ଦୟନୀୟ ଅବସ୍ଥା ଦେଖି ଏଠାକୁ ଆସୁଥିବା ସାହିତ୍ୟପ୍ରେମୀ ଓ ତଥା ଦଶର୍ନାଥିମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ସମାଧି ପୀଠ ପରିସରରେ ଲଗାଯାଇଥିବା ବୃକ୍ଷରାଜି ପ୍ରାୟ ମରିଯାଇଥିବା ସହ ଚାରିପାଖରେ ଅନାବନା ଓ ଜଙ୍ଗଲି ଗଛ ଛନଛନ ହୋଇ ବଢ଼ିଚାଲିଛି। ମଶା ପ୍ରାଦୁର୍ଭାବ ପରିସରଟି ଅତ୍ୟନ୍ତ ଅବ୍ୟବସ୍ଥିତ ଓ ଅସୁନ୍ଦର ଦେଖାଯାଉଛି। ଯେଉଁ ପୀଠଟି କବିଙ୍କ ସ୍ମୃତିରେ ସୁନ୍ଦର ଓ ପରିଚ୍ଛନ୍ନ ରହିବା ସହ ଦର୍ଶନପ୍ରିୟ ଦର୍ଶନାର୍ଥିଙ୍କୁ ଅହରହ ଆକୃଷ୍ଟ କରିବା ଉଚିତ୍, ସେଠାରେ ଏବେ ରକ୍ଷଣାବେକ୍ଷଣର ଅଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି। ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପାଣ୍ଠିରେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ସମାଧି ପୀଠ ନିର୍ମାଣ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଏକ ସାହିତ୍ୟିକ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ଏହାକୁ ବିକଶିତ କରିବା ଲକ୍ଷ୍ୟ ରହିଥିଲା। କିନ୍ତୁ ନିର୍ମାଣ ପରେ ଠିକ୍ ଭାବରେ ଦେଖାରେଖା ହେଉନଥିବାରୁ ଏହାର ସ୍ଥିତି ଦିନକୁ ଦିନ ଅବନତି ଦିଗକୁ ଅଗ୍ରସର ହେଉଛି। କବିଙ୍କ ସମାଧି ପୀଠ ପରିସରରେ କୌଣସି ସ୍ଥାୟୀ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ସ୍ଥାନଟି ଅନ୍ଧାରମୟ ହୋଇଯାଉଛି। ସନ୍ଧ୍ୟା ସମୟରେ ସେଠାକୁ ବୁଲିବାକୁ ଯାଇ କବିଙ୍କୁ ଭକ୍ତିପୂତ ପ୍ରଣାମ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଲୋକେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହି କାରଣରୁ ରାସ୍ତା କଡ଼ରେ ଥିବା ଲାଇଟକୁ ସମାଧି ପୀଠ ମୁହାଁ କରି ଅସ୍ଥାୟୀ ଭାବେ ଆଲୋକିତ କରାଯାଇଥିବା ପରିଲକ୍ଷିତ ହେଉଛି। ସ୍ଥାନୀୟ ସୂଚନା ଅନୁସାରେ, ସମାଧି ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବ୍ୟକ୍ତି ବର୍ତ୍ତମାନ ଅନ୍ୟ ଏକ ଉଦ୍ୟାନରେ ରହୁଥିବାରୁ ଏଠାରେ ନିୟମିତ ଭାବରେ ରକ୍ଷଣାବେକ୍ଷଣ ହୋଇ ପାରୁନଥିବାରୁ ଏହି ସ୍ଥାନଟି ଏବେ ଅବହେଳିତ ହେଉଥିବା ଜଣାପଡ଼ିଛି। ଏହି ପରିସ୍ଥିତିକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ସମାଧି ପୀଠର ଶୀଘ୍ର ପରିଚ୍ଛନ୍ନତା, ମରାମତି ଓ ସ୍ଥାୟୀ ଆଲୋକ ବ୍ୟବସ୍ଥା କରାଯିବା ସହିତ ନିୟମିତ ରକ୍ଷଣାବେକ୍ଷଣ କରାଯିବାକୁ ସାଧାରଣରେ ଦାବି ହେଉଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


