ଭୁବନେଶ୍ୱର ; ତା-୨୧/୦୫ ( ବିଏମସି ଟିଭି ଓଡ଼ିଆ)
ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୯ ଡିଗ୍ରୀ ଥିବାବେଳେ ଅନୁଗୋଳ ଓ ସୁବର୍ଣ୍ଣପୁରରେ ୪୨.୧ ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ପାରଦ ୪୧.୪, ସମ୍ବଲପୁରରେ ୪୧, ହୀରାକୁଦରେ ୪୦.୫, ତାଳଚେରରେ ୪୧, ବଲାଙ୍ଗିରରେ ୪୦.୨, ଟିଟିଲାଗଡ଼ରେ ୪୦, ନୟାଗଡ଼ରେ ୪୦.୪, ଖୋରଧାରେ ୪୦, ଭୁବନେଶ୍ବରରେ ୩୭.୪ ଏବଂ କଟକରେ ୩୭.୬ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ପାରଦ ୩୭ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ପାରଦ ୪୨ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ। ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ସହିତ ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଆସନ୍ତା ୨ରୁ ୩ଦିନ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବ ସାଗର, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ବୀପପୁଞ୍ଜ, ଆଣ୍ଡାମାନ ସାଗର, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଏବଂ ଗଞ୍ଜାମ ଜିଲାକୁ କାଳବୈଶାଖୀଜନିତ ବର୍ଷା ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି। କିଛି ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି ବେଗରେ ପବନ ବହିବାକୁ ଥିବାବେଳେ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଏମସି ନ୍ଯୁଜ୍ ଓଡ଼ିଶା ।


