ସମ୍ବଲପୁର:ତା.୩୦/୦୭ (ବିଏମସି ଟିଭି ଓଡିଆ)
ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ପ୍ରତିବର୍ଷ ‘ସମ୍ବଲପୁରୀ ଦିନ୍’ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ସମ୍ବଲପୁରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛିି। ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁରୀ ଦିନ୍’ ପ୍ରତି ଆହୁରି ଭବ୍ୟ ଏବଂ ଜନାଦୃତ ହେବାକୁ ବସିଛି। ଚଳିତ ବର୍ଷ ସହର ସ୍ଥିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଦୁଇ ଦିନିଆ ୧୪ ତମ ରାଜ୍ୟସ୍ତରୀୟ ‘ସମ୍ବଲପୁରୀ ଦିନ୍’ ଆୟୋଜନ ପାଇଁ ଯୋଜନା ରହିଛି। ଚଳିତ ବର୍ଷ ଅଗଷ୍ଟ ଏକ ତାରିଖ ସକାଳ ୮ ଟା ରେ ସମ୍ବଲପୁରୀ ଡେରାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମାଲ୍ୟାର୍ପଣ କରାଯିବ। ଏହାପରେ ପ୍ରତିବର୍ଷ ଭଳି ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ‘ସମ୍ବଲପୁରୀ ଦିନ୍’ ମଚାନରେ ଅନୁଷ୍ଠିତ ହେବ। ସମ୍ବଲପୁରୀ ଦିନ୍ ପାଇଁ ପ୍ରତିବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନୁତନ ଳକ୍ଷ୍ୟ ସ୍ଥିର କରୁଥିବା ବେଳେ ଆଗାମୀ ଏକ ବର୍ଷରେ ସମ୍ବଲପୁରୀ ଦିନ୍ ପାଇଁ ସମ୍ବଲପୁରୀ ଡେରା, ସମ୍ବଲପୁରୀ ସଂସ୍କୃତି ର ସଂରକ୍ଷଣ, ଗବେଷଣା, ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ ପାଇଁ ବିକଶିତ କରିବା ସକାଶେ ଲକ୍ଷ୍ୟ ରଖାଯାଇଛି। ବିଗତ ୧୪ ବର୍ଷ ମଧ୍ୟରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତି ରକ୍ଷା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କରାଯାଉଥିବା ପ୍ରୟାସ ଆଗକୁ ମଧ୍ୟ ଜାରି ରଖିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚର ଭାଷା ସାହିତ୍ୟ ସଂଯୋଜକ ଡ. ସ୍ବୟଂ ପ୍ରକାଶ ପଣ୍ଡା ସକାଳେ ୫୦ ଜଣ ଆମନ୍ତ୍ରିତ କବିଙ୍କୁ ନେଇ କବିତା ପାଠୋତ୍ସବ କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ଏକ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ ଦଳ ଗୁଡ଼ିକ ଦ୍ବାରା ୧୦ ଟି ଶୈଳୀର ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିବା ନେଇ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସୂଚନା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ପ୍ରତିଷ୍ଠିତ ଗାୟକ ପଙ୍କଜ ଜାଲ, ଈଶ୍ୱରୀ ବେହେରା, ମାନସୀ ପାଣିଗ୍ରାହୀ, ମାନସ ଷଡ଼ଙ୍ଗୀ, ଆକାଶ ପଟ୍ଟନାୟକ, ଡଲି ସାହୁ ପ୍ରମୁଖ ଲୋକ ସଙ୍ଗୀତ ପରିବେଷଣ କରିବେ। ତେବେ ଚଲିତ ବର୍ଷ ଅଗଷ୍ଟ ଏକ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମରେ କେବଳ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଲୋକ ସଙ୍ଗୀତ ପରିବେଷଣ କରାଯିବା ନେଇ ଗୁରୁ ରଞ୍ଜିତ ସାହୁ ସୂଚନା ଦେଇଛନ୍ତି। ଅଗଷ୍ଟ ଏକ ତାରିଖରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ସହମତି ପ୍ରକାଶ କରିଥିବା ନେଇ ସମ୍ବଲପୁରୀ ଦିନର ସଂଯୋଜକ ଡ.ପ୍ରମୋଦ ରଥ କହିଛନ୍ତି। ସମ୍ବଲପୁରୀ ଲୋକସଂଗୀତକୁ ଉଚ୍ଚ ସୋପାନରେ ପହଞ୍ଚାଇ ଥିବା ଶଙ୍କର ପ୍ରସାଦ ଦତ୍ତଙ୍କୁ ଆଗାମୀ ଅଗଷ୍ଟ ଏକ ତାରିଖରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆବାହକ ଭବାନୀଶ ଭୋଇ ସୂଚନା ଦେଇଛନ୍ତି। ଦୁଇ ଦିନ ପର୍ଯ୍ୟନ୍ତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ବିଭିନ୍ନ ରକମର ସମ୍ବଲପରୀ ଖାଦ୍ୟ ଏବଂ କପଡା ଷ୍ଟଲର ବ୍ୟବସ୍ଥା କରାଯାଇଛି। ଜୁଲାଇ ୩୧ ତାରିଖରେ ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ କପଡା ବଜାର ର ଆୟୋଜନ କରାଯିବ। ସେହିପରି ଦ୍ବିତୀୟ ଦିନ ସକାଳେ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଅପରାହ୍ନରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।
ସମ୍ବଲପୁର ରୁ କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


