ଢେଙ୍କାନାଳ ;ତା-୧୯/୦୮(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ବେଗୁନିଆପଳ ବ୍ଲକ ନୂଆସାହି ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଠିକ୍ ଭାବରେ ପ୍ରଦାନ କରାନଯାଇ ହରିଲୁଟ୍ କରାଯାଉଛି। ଅଭିଯୋଗ କଲେ ଅଧିକାରୀଙ୍କ ନାଁ ନେଇ ଭୟ ଦେଖାଯାଉଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଧବାର ବେଗୁନିଆପାଳ ନୂଆସାହିର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଓ ଜିଲ୍ଲା ସମଜ ମଙ୍ଗଳ ଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଅଭିଯୋଗ ଅନୁଯାୟୀ,ବେଗୁନିଆପାଳ ନୂଆସାହିର ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ପୋଷାକ ଓ ଜୋତା ଆଦି ନଦେବା, କର୍ମୀ ସଠିକ୍ ସମୟରେ ଅଙ୍ଗନବାଡ଼ିକୁ ନଆସିବା, ଗର୍ଭବତୀ ମହିଳାମାନଙ୍କୁ ଖାଦ୍ୟ ନଦେଇ ଫଟୋ ଉଠାଇ ଛାଡ଼ିବା ଆଦି ଅଭିଯୋଗ ନେଇ ଗତ ୩ ତାରିଖରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୫ ତାରିଖରେ ବ୍ଲକ୍ ପକ୍ଷରୁ ସିଡିପିଓଙ୍କ ସମେତ ୩ ଜଣିଆ ଟିମ୍ ଗ୍ରାମକୁ ଆସି ବୈଠକ ଡକାଇ ଏହାର ତଦନ୍ତ କରିଥିଲେ। ବୈଠକରେ ଗ୍ରାମର ବହୁସଂଖ୍ୟାରେ ପୁରୁଷ ଓ ମହିଳାଙ୍କ ସମେତ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଆଲୋଚନା ଓ ପଚରାଉଚରା ପରେ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟ ପରିଚାଳନାରେ ଅନିୟମିତତା, ଦୁର୍ନୀତି ଓ ଦାୟିତ୍ବହୀନତା ନେଇ ଅଧିକାରୀ ଅବଗତ ହୋଇଥିଲେ। ଅଙ୍ଗନବାଡ଼ି କର୍ମୀ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ସନ୍ତୋଷଜନକ ନଥିଲା। ଏହାପରେ ଅଧିକାରୀମାନେ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଠିକ୍ ରେ କେନ୍ଦ୍ରକୁ ଆସୁନାହାନ୍ତି। ଫଳରେ କେନ୍ଦ୍ରରେ ପଢୁଥିବା ଶିଶୁ,ସହାୟତା ପାଇବା,ଗର୍ଭବତୀ ମହିଳା,ପ୍ରସୂତି ଓ ଅନ୍ୟାନ୍ୟ ହିତାଧିକାରୀମାନେ ସରକାରୀ ସୁବିଧା ପାଇବାରେ ବାଧା ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ତୁରନ୍ତ ଗ୍ରାମରେ ନୂତନ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଦେବାକୁ ବିପିନ୍ ସାହୁ, ଚିତନ ପୃଷ୍ଟି, ନିବାସ ନାଥ, ପରମାନନ୍ଦ ସାହୁ, ବିଜନ ପୃଷ୍ଟି,ମିଟୁ ପୃଷ୍ଟି,ଅଶୋକ ଜେନା, ବାଉରୀ ପାତ୍ର,ପିତବାସ ସାହୁ, ରବି ପୃଷ୍ଟି,ହେମନ୍ତ ପୃଷ୍ଟି,ରାଜେନ୍ଦ୍ର ସାମଲ ପ୍ରମୁଖ ଗ୍ରାମବାସୀ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ଙ୍କୁ ଭେଟି ଅଭିଯୋଗ କରିଛନ୍ତି। କରି ଏହାପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ମଧ୍ଯ ଅବଗତ କରାଇଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁକ୍ତ ଓଡ଼ିଶା।


