ସମ୍ବଲପୁର:ତା.୩୦/୦୯ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ବଧିର ସଂଘ ପକ୍ଷରୁ ବୁଧବାର ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟଠାରେ ୬୯ତମ ଅନ୍ତର୍ଜାତୀୟ ବଧିର ସପ୍ତାହ ଓ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳିତ ହୋଇଯାଇଛି। ସଂଘର ଅଧ୍ୟକ୍ଷ ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି ଓ ରଜନୀକାନ୍ତ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଞ୍ଚରେ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା, ସମ୍ପାଦକ ପ୍ରବୀର ମହାନ୍ତି, ଉପସଭାପତି ଜୟନାରାୟଣ ଧର, ସହ-ସମ୍ପାଦକ ଅତୀଶ ନାୟକ ଓ ଓଡ଼ିଶା ବଧିର ସଂଘର ରାଜ୍ୟ ପ୍ରଭାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବକ୍ତାମାନେ ବଧିର ବ୍ୟକ୍ତିଙ୍କ ଅଧିକାର, ସ୍ୱାବଲମ୍ବନ ଓ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରସ୍ତାବିତ ମୁଖ୍ୟ ଦାବିଗୁଡିକ ମଧ୍ୟରେ ସଂଘ କାର୍ଯ୍ୟାଳୟ ପାଇଁ ସରକାର ଜମି ଯୋଗାଇ ଦେବା, ସମସ୍ତ ସଦସ୍ୟଙ୍କ ତଥ୍ୟ ଡାଟାବେସ୍ ପ୍ରସ୍ତୁତ କରି ସରକାରୀ ସହାୟତା ସହଜ କରାଇବା, ହସ୍ପିଟାଲ, ଥାନା, କୋର୍ଟ ପରି ସାର୍ବଜନୀନ ସ୍ଥାନରେ ସାଙ୍କେତିକ ଭାଷା ବିଶେଷଜ୍ଞ ନିଯୁକ୍ତି କରିବା ଆଦି ରହିଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପାଣି ସରକାରୀ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେବା ସହ ଜିଲ୍ଲାରେ ୬ ବର୍ଷରୁ କମ୍ ବୟସର ବଧିର ଶିଶୁ ସଂଖ୍ୟା ମାତ୍ର ୪ ଜଣ ରହିଥିବାକୁ ଶୁଭ ସଙ୍କେତ ବୋଲି କହିଥିଲେ। ପରିଶେଷରେ ସ୍ୱେଚ୍ଛାସେବୀ ଓ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜୁ ଓଡ଼ିଶା।


