ବ୍ରହ୍ମପୁର ;ତା-୧୬/୧୨(ବିଏମସି ଟିଭି ଓଡ଼ିଆ)
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦିନ କୁ ଦିନ ଦରଦାମ ବୃଦ୍ଧି ହେବାରେ ଲାଗିଛି ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ରାସନ ଚାଉଳ ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ତେଣୁ ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କ ଚଳଣୀ ବହୁ କଷ୍ଟକର ହୋଇ ପଡୁଛି।ସେମାନଙ୍କ ଦୈନନ୍ଦିନ ଜୀବନ ଯାପନ ନିମନ୍ତେ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଟ ୫୦୦୦ କୁ ବୃଦ୍ଧି କରିବାକୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ମାସିକ ଆଲୋଚନା ସଭା ରେ ଦାବି କରାଯାଇଛି। ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭାରେ ଉପସଭାପତି ଡ଼ ପ୍ରାଣଚାନ୍ଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ସମ୍ପାଦକ ରଜନୀ କାନ୍ତ ମଣ୍ଡଳ ମଞ୍ଚାସିନ୍ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମାପ୍ରସାଦ ପାଢୀ ଜଗନ୍ନାଥ ଭଜନ ଗାନ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟ ସରକାର ନୂତନ ମଦ ଦୋକାନ ଖୋଲିବାକୁ ନେଇଥିବା ନିଷ୍ପତ୍ତି ଏବଂ ବିଧାୟକ ମାନଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ର ଅହେତୁକ ବୃଦ୍ଧି ନିଷ୍ପତିକୁ ମଧ୍ୟ ବିରୋଧ କରାଯାଇ ଆଲୋଚନା କରାଯାଇଥିଲା। ଏଥି ସହିତ ରାଜ୍ୟର ଗରିବ ଅସହାୟ ବରିଷ୍ଠ ନାଗରିକ ମାନଙ୍କ ମାସିକ ଭତ୍ତା ଟ ୫୦୦୦ କୁ ବୃଦ୍ଧି କରିବାକୁ ଦାବି କରାଯାଇ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏହି ଅବସରରେ ଜ୍ବର ପ୍ରପିଡିତ ଅନୁଷ୍ଠାନ ର ସଭାପତି ରାଧା ଚରଣ ନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଡିସେମ୍ବର ମାସରେ ଜନ୍ମଗ୍ରହଣ କରିଥିବା ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ମହାମୃଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ଏଥି ସହିତ ବ୍ରହ୍ମପୁର ସହର ସମେତ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଗୁଡ଼ିକ ର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ଆଲୋଚନା କରାଯାଇଥିଲା। ଅନୁଷ୍ଠିତ ଆଲୋଚନା ସଭା ରେ କୋଷାଧ୍ୟକ୍ଷ ଲଡୁ କେଶ ଙ୍କ ସମେତ ଶ୍ୟାମାପ୍ରସାଦ ପାଢୀ, ସୁବାସ ଚନ୍ଦ୍ର ପାଢୀ, ନିରଞ୍ଜନ ମହାପାତ୍ର, ରବିନ୍ଦ୍ର କୁମାର ନାୟକ କୈଳାସ ଚନ୍ଦ୍ର ପଣ୍ଡା ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ସମ୍ପାଦକ ରଜନୀ କାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ରହ୍ମପୁର ରୁ କାଳିଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


