ସମ୍ବଲପୁର/ଗୋଡଭଗା:
ତା.୦୬/୦୬ (ବିଏମସି ଟିଭି ଓଡିଆ)
ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ବିଭିନ୍ନ ଡାକ୍ତରଖାନା ଏବଂ ରକ୍ତ ଭଣ୍ଡାରଗୁଡ଼ିକରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି କାରଣରୁ ରୋଗୀମାନଙ୍କୁ ସମୟ ମତେ ରକ୍ତ ଯୋଗାଇବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ଜଟିଳ ସମସ୍ୟାକୁ ହୃଦବୋଧ କରି ଏବଂ ମାନବିକତାକୁ ଆଗରେ ରଖି ଆଜି ଅତାବିରା ଅଗ୍ରସେନ ଭବନଠାରେ ଏକ ବୃହତ୍ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜେସିଆଇ ଅତାବିରା, ମାରୱାଡି ଯୁବା ମଞ୍ଚ, ମାରୱାଡି ସମ୍ମେଳନ ଏବଂ ଜାଗୃତି ଶାଖାର ମିଳିତ ଉଦ୍ୟମରେ ଏହି ମହତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଅତାବିରାର ବିଶିଷ୍ଟ ଚିକିତ୍ସକ ଡଃ ସୁବାସ ଅଗ୍ରୱାଲ ଏବଂ ଡଃ ରାମ କୈଳାଶ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାରରୁ ଆସିଥିବା କାଉନସିଲର ଅମରଜିତ୍ ମହାନ୍ତି, ଟେକ୍ନିସିଆନ ଭୁବନେଶ୍ୱର ସାହୁ, ମହେନ୍ଦ୍ର ମେହେର, ସୁଦାମ ସେଠ୍ ଏବଂ ହରେକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ସୁରକ୍ଷିତ ଭାବେ ରକ୍ତ ସଂଗ୍ରହ କରିଥିଲେ। ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କ ତତ୍ତ୍ୱାବଧାନରେ ସମାଜସେବୀ ଶିଶୁ ରୋଗ ବିଶେଷଜ୍ଞ ଡଃ ପଲଉ ପ୍ରଧାନଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଶିବିର ପରିଚାଳନାରେ ଅତାବିରା ଜେସିଆଇର ସଭାପତି ୱାଇ ଏସ କ୍ରିଷ୍ଣା, ପ୍ଲାଣ୍ଟ ଜୋନ ଅଧିକାରୀ ବୁର୍ଲି ଚୌଧୁରୀ, ଜୋନ୍ ଅଧିକାରିଣୀ ନୀତୁ ଅଗ୍ରୱାଲ, ମାରୱାଡି ଯୁବାମଞ୍ଚର ସଭାପତି ପୁଲକିତ ଅଗ୍ରୱାଲ, ବ୍ଲଡ କନଭେନର ଅର୍ପିତ ବାଙ୍କା, ମାରୱାଡି ସମ୍ମେଳନର ସଭାପତି ସତ୍ୟନାରାୟଣ ଅଗ୍ରୱାଲ ଏବଂ ଜାଗୃତି ଶାଖାର ସଭାନେତ୍ରୀ ବୁଲବୁଲ ଅଗ୍ରୱାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ଅତାବିରା ଅଗ୍ରସେନ୍ ଭବନ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶିବିରକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ। ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ସେବା ପ୍ରଦାନ କରିଥିବା ତଥା ରକ୍ତଦାନ ଭଳି ମହତ କାର୍ଯ୍ୟ କରୁଥିବା ପୁଲକିତ ଅଗ୍ରୱାଲ, ଶିକ୍ଷୟିତ୍ରୀ ଅନୁସୂୟା ଦେବତା, ପୀୟୁଷ ଅଗ୍ରୱାଲ, ରାକେଶ ଅଗ୍ରୱାଲ , ଆଶିଷ ଅଗ୍ରୱାଲ ଓ ଅନୁପ ଅଗ୍ରୱାଲଙ୍କ ସମେତ ୪୫ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ସହ ଚାରା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଗ୍ରୀଷ୍ମ ଋତୁରେ ରୋଗୀଙ୍କ ଜୀବନ ରକ୍ଷା ଦିଗରେ ବିଭିନ୍ନ ଅନୁଷ୍ଠାନର ଏଭଳି ମିଳିତ ସାମାଜିକ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


