ସଇଁତଲା ; ତା-୧୯/୦୫ ( ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଛନଛଡା ଗ୍ରାମରେ ନୂତନ ନିର୍ମାଣଧୀନ ବ୍ରିଜ ନିକଟରେ ବେଆଇନ ଭାବରେ ବୃହତ ଆକାରରେ ଚାଲୁଥିବା ଇଟାଭାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ରାତିରେ ଏହି ଇଟାଭାଟିରୁ ନିର୍ଗତ ଅଗ୍ନି ଓ ଧୂଆଁ ପରିବେଶକୁ ଅସହ୍ୟ କରିଦେଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆବଶ୍ୟକ ସରକାରୀ ଅନୁମତି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପତ୍ର ଓ ଖଣି ବିଭାଗର ନିୟମକୁ ଅମାନ୍ୟ କରି ଏହି ଇଟାଭାଟି ଚାଲିଥିବା ସତ୍ତ୍ୱେ ପ୍ରଶାସନ ନିରବ ଭୂମିକା ଗ୍ରହଣ କରିଛି। ରାତି ହେଲେ ଭାଟିରେ ଅଗ୍ନି ଜଳୁଥିବା ବେଳେ ଦୂରଦୂରନ୍ତରୁ ଟ୍ରାକ୍ଟର ଓ ଭାରୀ ଯାନରେ ମାଟି ଓ କୋଇଲା ଆଣାଯାଉଥିବା ଦେଖିବାକୁ ମିଳୁଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଇଟାଭାଟିରୁ ନିର୍ଗତ କଳା ଧୂଆଁ ଓ ତୀବ୍ର ତାପରେ ଚାଷ ଜମି, ଗଛଲତା ଓ ପରିବେଶର କ୍ଷତି ସହିତ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି। ଶିଶୁ ଓ ବୃଦ୍ଧମାନଙ୍କ ମଧ୍ୟରେ ଶ୍ୱାସନେବାରେ କଷ୍ଟ, କାଶ ଓ ଆଖି ଜ୍ୱଳନ ଭଳି ସମସ୍ୟା ବଢୁଥିବା ଅଭିଯୋଗ ହେଉଛି।
ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି ଯେ, ନୂତନ ବ୍ରିଜ ନିକଟରେ ଏତେ ବଡ଼ ଆକାରରେ ଇଟାଭାଟି ଚାଲୁଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ, ତହସିଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରେଭେନ୍ୟୁ ବିଭାଗ କିପରି ଅବଗତ ନୁହଁନ୍ତି? କିମ୍ବା ସବୁ କିଛି ଜାଣି ଶୁଣି ମଧୁଚନ୍ଦ୍ରିକାରେ ଚୁପ୍ ହୋଇ ନୀରବ ରେ ବସିଛନ୍ତି ?
ସାଧାରଣରେ ଏହା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ବେଆଇନ ଭାବରେ ଚାଲୁଥିବା ଇଟାଭାଟି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

ବଲାଙ୍ଗୀର ଜିଲ୍ଲା ରୁ କୁବେର ନାଗ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


