ଢେଙ୍କାନାଳ ;ତା-୨୪/୦୮(ବିଏମସି ଟିଭି ଓଡ଼ିଆ)
ରକ୍ଷାବନ୍ଧନ ଅବସରରେ ଦେଶର ସୀମା ସୁରକ୍ଷାରେ ନିୟୋଜିତ ବୀର ଯବାନମାନଙ୍କ ପାଇଁ ଢେଙ୍କାନାଳର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ପକ୍ଷରୁ ଏକ ନିଆରା ‘ରାକ୍ଷୀ ସହ ବାର୍ତ୍ତା’ ପ୍ରେରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜ ପରିବାରଠାରୁ ଦୂରରେ ରହି ଦେଶମାତୃକାର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ମଧ୍ୟରେ ଭାତୃଭାବ ଓ ଆତ୍ମବଳ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସାଧାରଣ ବର୍ଗର ମହିଳାମାନଙ୍କଠାରୁ ଯବାନମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଓ ଶୁଭେଚ୍ଛା ବାର୍ତ୍ତା ସଂଗ୍ରହ କରାଯାଉଛି। ସଂଗୃହୀତ ରାକ୍ଷୀଗୁଡ଼ିକ ଯବାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ହାତରେ ବନ୍ଧାଯିବା ପାଇଁ ସୀମା ସୁରକ୍ଷା ବାହିନୀ ସହିତ ଆବଶ୍ୟକ ବୁଝାମଣା ହୋଇସାରିଛି। ଏହି କ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସାଧାରଣ ବର୍ଗର ମହିଳାମାନଙ୍କଠାରୁ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ରାକ୍ଷୀ ସହ ଶୁଭେଚ୍ଛା ବାର୍ତ୍ତା ସଂଗ୍ରହ ହୋଇସାରିଛି। ଆସନ୍ତା ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରାକ୍ଷୀ ଓ ବାର୍ତ୍ତା ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି। ଏହି ମହତ୍ ଭାତୃଭାବର ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ମହିଳା ଓ ଛାତ୍ରଛାତ୍ରୀ ଯୋଗଦେଇ ଯବାନମାନଙ୍କ ପାଇଁ ରାକ୍ଷୀ ଓ ବାର୍ତ୍ତା ପ୍ରଦାନ କରିବାକୁ ବଜରଙ୍ଗ କ୍ଲବ୍ ପକ୍ଷରୁ ନିବେଦନ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ରାକ୍ଷୀ ଓ ବାର୍ତ୍ତା ବଜରଙ୍ଗ କ୍ଲବ୍ କାର୍ଯ୍ୟାଳୟରେ ପହଞ୍ଚାଇପାରିବେ। କାର୍ଯ୍ୟକ୍ରମ ପରିଚାଳନାରେ ନେହା, ସାଇସ୍ମିତା କର, ପ୍ରଣତି ମିଶ୍ର, ମାତୃଶକ୍ତି ରଣା, ଶୁଭଶ୍ରୀ ବେହେରା, ଶିବାନୀ ବେହେରା, ସୌମ୍ୟା ଷଡ଼ଙ୍ଗୀ, ସୁଶ୍ରୀତା ପରିଡ଼ା, ବର୍ଷା ପରିଡ଼ା, ତୁଳସୀ ବେହେରା, ପ୍ରଜ୍ଞାଶ୍ରୀ ପରିଡ଼ା, ଲକ୍ଷ୍ମୀପ୍ରିୟା ବେହେରା, ଶ୍ରଦ୍ଧାଞ୍ଜଳି, ଲକ୍ଷ୍ମୀପ୍ରିୟା ମନ୍ତ୍ରୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ସର୍ମିଷ୍ଠା ପ୍ରଧାନ, ସୌମ୍ୟା ସାଗରିକା ଦାସ, ଦେବସ୍ମିତା ଦେହୁରୀ, ସାଲିନ୍ ସାହୁ, ଦୀପ୍ତିରଞ୍ଜନ ମିଶ୍ର, ଶୁଭମ୍ ଗୁରୁଙ୍ଗ୍, କୀର୍ତ୍ତି ପ୍ରଧାନ, ଦେବ୍ ନାୟକ, ସତ୍ୟରଞ୍ଜନ ମହାପାତ୍ର, ବବୁଲ୍ ଦାସ ଓ ସନ୍ଦୀପ୍ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରୁଛନ୍ତି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


