ବାଲିମେଳା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ବହୁ ପ୍ରସିଦ୍ଧ ବଡଯାତ୍ରା।ବର୍ଷ ବର୍ଷ ଧରି ହେଉଥିବା ବଡ ଯାତ୍ରାରେ ବାଜା ରୋଷଣୀରେ
ସ୍ୱତନ୍ତ୍ର ବିମାନ ଯୋଗେ ଆସନ୍ତି ଗ୍ରାମର ଗ୍ରାମଦେବୀ ମା’ ମାଉଳି।ଲୋକ କଥା ଅନୁଯାୟୀ, କାହିଁ କେଉଁ କାଳରୁ କୋରୁକୋଣ୍ଡା ଗ୍ରାମ ନିକଟରେ ଥିବା ଏକ ପାହାଡ଼ ଶିଖରରେ ରୁହନ୍ତି ମା’ ମାଉଳି। ବିଭିନ୍ନ ପୂଜା ପର୍ବାଣୀରେ ପୂଜକ ଯାଇ ମାଙ୍କୁ ସେଠାରେ ପୂଜାର୍ଚ୍ଚନା କରନ୍ତି।ହେଲେ ମା’ ପ୍ରତି ଦୁଇ ବର୍ଷରେ ଥରେ ପାହାଡ଼ ଶିଖରରୁ ତଳକୁ ଓଲ୍ହାଇ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି।ଭକ୍ତ ମାନେ ଏହାକୁ ମା’ମାଉଳିଙ୍କ ବଡ ଯାତ୍ରା ରୂପେ ପାଳନ କରନ୍ତି।ମାଙ୍କ ପୂଜାରୀଙ୍କ କହିବାନୁଯାୟୀ ପୂର୍ବଜ ପୂଜକ ମାନେ ପ୍ରତ୍ୟକ ଦିନ ପାହାଡ ଶିଖରରେ ଥିବା ମାଙ୍କ ଆସ୍ଥାନକୁ ଯାଇ ପୂଜାର୍ଚ୍ଚନା କରୁଥିଲେ।ବର୍ତ୍ତମାନ ଦୁଇ ବର୍ଷରେ ଥରେ ସେଠାକୁ ଯାଇ ମା’ଙ୍କୁ ଆବାହନ କରି ଆଣି ପାଦ ଦେଶରେ ପୂଜା କରାଯିବା ସହ ମା’ ଙ୍କୁ ନଗର ଭ୍ରମଣ କରାଇ ଅସ୍ଥାୟୀ ମଣ୍ଡପରେ ବିରାଜ କରାନ୍ତି।ଚାଳିତ ବର୍ଷ ଏହି ବଡ ଯାତ୍ରା ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।ଆସନ୍ତା ମଙ୍ଗଳବାର ଯାତ୍ରା ଶେଷ ହେବା ପରେ ବୁଧବାର ଭୋର ୪ ଟାରୁ ମା’ ବିଦାୟ ନେବେ ବୋଲି ସ୍ଥିର ହୋଇଛି।ପ୍ରଥମ ଦିନ ତଥା ଗତ ଶୁକ୍ରବାର ଦିନ ମା’ଙ୍କ ବିଗ୍ରହ ଗଠନ ସହିତ ପାହାଡ଼ ଶିଖରରେ ଥିବା ମା’ଙ୍କ ପୀଠକୁ ପୂଜକ ସହିତ ଅନେକ ଭକ୍ତ ଯାଇ ସେଠାରୁ ମା’ଙ୍କର ପୂଜାର୍ଚ୍ଚନା କରିବା ସହିତ ମା’ଙ୍କୁ ବରଣ କରି ଆଣି ପାହାଡ଼ ପାଦ ଦେଶରେ ଥିବା ଏକ ମଣ୍ଡପରେ ସ୍ଥାପନ କରିଥିଲେ।
ଏହା ସହିତ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୂଜା ପାଉଥିବା ଗ୍ରାମ ଦେବୀଙ୍କୁ ବରଣ କରାଯାଇ ଓ ବହୁ ଗ୍ରାମର ଗ୍ରାମଦେବୀ ନିଜ ନିଜ କଳସୀ ଠାକୁର ଆବାହନ ହେଉଥିବା ଲାଠି ସହିତ ଶନିବାର ଦିନ ସକାଳୁ ଏହି ବଡ ଯାତ୍ରାରେ ଯୋଗ ଦେଇଛନ୍ତି।ପୂଜାର ଦ୍ୱତୀୟ ଦିନ ଶନିବାର ମା’ ପାହାଡର ପାଦ ଦେଶରେ ଥିବା ଅସ୍ଥାୟୀ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେବା ସହିତ ଭୋଗ ଗ୍ରହଣ କରିଥଲେ। ସନ୍ଧ୍ୟା ପରେ ଭକ୍ତଙ୍କ ଗହଳି ସହିତ ବିଭିନ୍ନ ପାଟ ପାଟୁଆରରେ ଉକ୍ତ ମଣ୍ଡପରୁ ବାହାରି କୋରୁକୋଣ୍ଡା ସଦରରେ ଥିବା ଅସ୍ଥାୟୀ ମଣ୍ଡପ ମାଣ୍ଡିଆଭଟ୍ଟାରେ ପହଁଞ୍ଚି ଥିଲେ।ତୃତୀୟ ଦିନ ରବିବାର ମାଣ୍ଡିଆଭଟ୍ଟା ଠାରେ ଦିନ ତମାମ ମା, ଙ୍କୁ ଭକ୍ତ ମାନେ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବା ସହିତ ମା:ଙ୍କର ଆଶିଷ ଲାଭ କରିପାରିବେ।ମା’ଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


