ସମ୍ବଲପୁର:ତା.୨୭/୦୮ (ବିଏମସି ଟିଭି ଓଡିଆ)
ଶିଶୁଙ୍କ ଅଧିକାର, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଅଗ୍ରାଧିକାର ଦେଇ ‘ଆଦର୍ଶ’ ଅନୁଷ୍ଠାନ ପକ୍ଷରୁ ‘ଆକ୍ସେସ୍ ଟୁ ଜଷ୍ଟିସ୍ ଫର୍ ଚିଲଡ୍ରେନ୍’ ଯୋଜନାର ଶୁଭାରମ୍ଭ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ମୋଟ ୬୦୦ଟି ଗାଁକୁ ଏହି ଅଭିଯାନରେ ସାମିଲ କରାଯାଇ ଶିଶୁ କଲ୍ୟାଣ ଓ ସୁରକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ପାନ୍ଥନିବାସରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଆଦର୍ଶ’ର ସମ୍ପାଦକ ପ୍ରଦୀପ ବେହେରା ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲାର ୩୦୦ଟି, ଝାରସୁଗୁଡ଼ାର ୨୦୦ଟି ଓ ବରଗଡ଼ର ୧୦୦ଟି ଗାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ଏହି ତିନି ଜିଲ୍ଲାର ମୋଟ ୧୪ଟି ବ୍ଲକ୍କୁ ଚିହ୍ନଟ କରାଯାଇଛି। ଯୋଜନା ମାଧ୍ୟମରେ ଗାଁସ୍ତରରେ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିକୁ ସକ୍ରିୟ କରାଯିବ। ଏଥିସହ ବାଲ୍ୟବିବାହ ରୋକିବା, ସ୍କୁଲ୍ ଛାଡ଼ିଥିବା ଶିଶୁଙ୍କୁ କୌଶଳଭିତ୍ତିକ ତାଲିମ ପ୍ରଦାନ, ପରିବାରଗୁଡ଼ିକୁ ସରକାରୀ ଯୋଜନା ସହ ଯୋଡ଼ିବା ଏବଂ ଶିଶୁ ଚାଲାଣ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯିବ।ସମ୍ବଲପୁର ଜିଲ୍ଲା ପାଇଁ ପ୍ରତିମାସ ୩୦୦ଟି ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି, ୧୫୦ଟି ବାଲ୍ୟବିବାହ ନିରୋଧ ସଂକଳ୍ପ, ୩୭୫ ଜଣ ଡ୍ରପ୍ଆଉଟ୍ ଶିଶୁଙ୍କୁ କୌଶଳ ତାଲିମ ଏବଂ ୭୫୦ଟି ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରହିଛି। ଏଥିସହ ଶିଶୁ ଚାଲାଣ ସମ୍ପର୍କିତ ଘଟଣା ଉପରେ ମଧ୍ୟ ନଜର ରଖାଯିବ। ସମ୍ବଲପୁର ଜିଲ୍ଲାରେ ପ୍ରାୟ ୬ ହଜାର ପରିବାରକୁ ସରକାରୀ ଯୋଜନା ସହ ଯୋଡ଼ିବା ଏବଂ ପ୍ରାୟ ୩ ହଜାର ସ୍କୁଲ୍ ଛାଡ଼ିଥିବା ଶିଶୁଙ୍କୁ କୌଶଳ ତାଲିମ ପ୍ରଦାନ କରିବାକୁ ଯୋଜନା ରହିଛି। ଏହା ମାଧ୍ୟମରେ ଶିଶୁମାନଙ୍କୁ ପୁଣି ଶିକ୍ଷା ଓ ଦକ୍ଷତା ବିକାଶର ମୁଖ୍ୟସ୍ରୋତକୁ ଆଣିବା ସହ ସେମାନଙ୍କୁ ଶୋଷଣ ଓ ଚାଲାଣ ଭଳି ବିପଦରୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯିବ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି (CWC)ର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ଓ ସଦସ୍ୟା ଜ୍ୟୋତି ଶତପଥୀ ଉପସ୍ଥିତ ରହି ଶିଶୁଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ମତ ରଖିଥିଲେ। ଜିଲ୍ଲାର ପ୍ରତ୍ୟେକ ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଅଧିକାରକୁ ସମନ୍ୱୟଭିତ୍ତିକ ଓ ସକାରାତ୍ମକ ଭାବେ ସୁନିଶ୍ଚିତ କରିବା ଦିଗରେ CWC ଗୁରୁତ୍ୱ ଦେଉଥିବା ସେମାନେ କହିଥିଲେ। ଶିଶୁଙ୍କ ମନକୁ ବୁଝିବା, ସେମାନଙ୍କ ସ୍ୱପ୍ନକୁ ସମ୍ମାନ ଦେବା ଏବଂ ସେହି ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ ବୋଲି ସେମାନେ ମତ ପ୍ରକାଶ କରି ଶିଶୁଙ୍କ ଭବିଷ୍ୟତ ପାଇଁ ସମସ୍ତେ ଏକାଠି ହେବାକୁ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମରେ ଲିନାରାଣୀ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ବେହେରା, ସୁନୀଲ ବେହେରା, ରଜତ ଭୋଇ, ଚିତ୍ତରଞ୍ଜନ ପ୍ରଧାନ, ଚଞ୍ଚଳା ପ୍ରଧାନ, ପୁଷ୍ପା ବାରିକ, ଅନୀମା ବାଗ ଓ ମନୋରଞ୍ଜନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁଙ୍କ ଅଧିକାର, ସୁରକ୍ଷା ଓ ଶିକ୍ଷାକୁ ନେଇ ତୃଣମୂଳ ସ୍ତରରେ ଏଭଳି ସମନ୍ୱିତ ପଦକ୍ଷେପ ଆଗାମୀ ଦିନରେ ଶିଶୁ ନିର୍ଯାତନା, ବାଲ୍ୟବିବାହ, ସ୍କୁଲ୍ ଛାଡ଼ିବା ଓ ଶିଶୁ ଚାଲାଣ ଭଳି ସମସ୍ୟା ରୋକିବାରେ ଏକ ଦୃଢ଼ ପଦକ୍ଷେପ ହୋଇପାରିବ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।


