ସମ୍ବଲପୁର/ଗୋଡଭଗା:ତା-୧୪/୦୩ (ବିଏମସି ଟିଭି ଓଡିଆ)
କ୍ରମବର୍ଦ୍ଧିଷ୍ଣୁ ଗୋଡଭଗା ଛକ ତଥା ଗୋଶାଳା ଓ ଅତାବିରା ସନ୍ନିକଟ ଗ୍ରାମାଞ୍ଚଳରେ ରନ୍ଧନ ଗ୍ୟାସର ପ୍ରବଳ ଅଭାବ ଦେଖାଦେଇଛି, ଯାହା ସ୍ଥାନୀୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଆମେରିକା – ଇରାନ ଯୁଦ୍ଧର ବାହାନାରେ ବିଶେଷ କରି କମର୍ସିଆଲ୍ ଗ୍ୟାସ୍ ଯୋଗାଣ ପ୍ରାୟ ବନ୍ଦ ରହିଥିବା ବେଳେ ଘରୋଇ ଗ୍ୟାସ୍ ଉପରେ କଟକଣା ଲଗାଯାଇଛି। ଫଳରେ ଅଞ୍ଚଳର ହୋଟେଲ ବ୍ୟବସାୟ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ଚୁଲି ଏବେ ଅଜଳା ହେବାରେ ଲାଗିଛି। ଗ୍ୟାସ୍ ହାଣ୍ଡିଟିଏ ପାଇବାକୁ ରନ୍ଧନ ଗ୍ୟାସ ଡିଲର୍ଠାରେ ପ୍ରତ୍ୟହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପଭୋକ୍ତାମାନେ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଗ୍ୟାସ୍ ବୁକିଙ୍ଗ୍ ପାଇଁ ବାରମ୍ବାର କଲ୍ କଲେ ମଧ୍ୟ ଯୋଗାଯୋଗ ସମ୍ଭବ ହେଉନାହିଁ। ଗ୍ୟାସ୍ ସଙ୍କଟର ସୁଯୋଗ ନେଇ କଳାବଜାରୀମାନେ ଏଠି ସେଠି ସବୁଠି ସକ୍ରିୟ ହୋଇଉଠିଥିବାର ଆଲୋଚନା ହେଉଛି। ସାଧାରଣରେ ଶୁଣିବାକୁ ମିଳୁଛି ଯେ, ଗୋଟିଏ ଗ୍ୟାସ୍ ସିଲିଣ୍ଡର ପିଛା ୨୫୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି। ଲୋକେ ବାଧ୍ୟ ହୋଇ ମୁଣ୍ଡକାନ ଆଉଁସି ଚଢା ମୂଲ୍ୟରେ ଗ୍ୟାସ୍ କିଣିବାକୁ ବାଧ୍ୟ ହେଉଛନ୍ତି। ଗ୍ୟାସ୍ ଅଭାବରୁ ଅନେକ ଛୋଟ ହୋଟେଲ ବନ୍ଦ ହେବାକୁ ଯାଉଥିବା ବେଳେ ଗ୍ରାମାଞ୍ଚଳର ଖାଉଟିମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମାଆମାନେ ଠିକ୍ ସମୟରେ ଖାଦ୍ୟ ପ୍ରସ୍ତୁତ ନ କରିପାରିବା ଦ୍ୱାରା ନିଜ ପିଲାଛୁଆମାନେ ଅଖିଆଅପିଆ ସ୍କୁଲ କଲେଜ ଯାଉଥିବାର ଅଭାବନୀୟ ଦୃଶ୍ୟରେ ମ୍ରିୟମାଣ ହୋଇପଡିଛନ୍ତି। ଏହି ସୁଯୋଗରେ ଚୋରା କାଠ ମାଫିଆମାନେ ଗ୍ୟାସ୍ ସଙ୍କଟିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳଚଞ୍ଚଳ ହୋଇପଡିଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ରନ୍ଧନ ଗ୍ୟାସର ସଙ୍କଟ ସମାଧାନ ନହେଲେ ସର୍ବତ୍ର ଖାଦ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଗ୍ୟାସ୍ କଳାବଜାରୀ ରୋକିବା ସହ ଖାଉଟିମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ସିଲିଣ୍ଡର ଯୋଗାଇ ଦେବାକୁ ଦାବି ହେଉଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ଗୋଡଭଗାରେ ରନ୍ଧନ ଗ୍ୟାସ୍ ସଙ୍କଟ; ପ୍ରଶାସନର କେବେ ପଡିବ ଦୃଷ୍ଟି


