ସମ୍ବଲପୁର:ତା.୨୦/୧୨(ବିଏମସି ଟିଭି ଓଡିଆ)
ଶୋଷଣ, କଷଣ ଓ ଭେଦଭାଵରୁ ମୁକ୍ତି ସଂଗ୍ରାମରେ ତ୍ୟାଗ ଓ ଆତ୍ମଵଳିଦାନର ୧୦୦ଵର୍ଷ ପୁର୍ତ୍ତିରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ( ସିପିଆଇ)ର ଶତବାର୍ଷିକୀ ସମ୍ଵଲପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତର କଷ୍ଟଲବ୍ଧ ସ୍ଵାଧୀନତା, ଗଣତନ୍ତ୍ର, ଏହାର ସମ୍ବିଧାନର ସୁରକ୍ଷା, ଶ୍ରମିକ ଶ୍ରେଣୀ, କୃଷକ, ଛାତ୍ର, ଯୁବ ଓ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଵାମପନ୍ଥୀ ଏକତା ସହ ଗଣତାନ୍ତ୍ରୀକ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନେ ଐକ୍ଯଵଦ୍ଧ ସଂଘର୍ଷରେ ସାମିଲ ହେବା ଜରୁରୀ ବୋଲି ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍ ଡଃ ପ୍ରଶାନ୍ତ କୁମାର ମିଶ୍ର ଏହି ସମାରୋହକୁ ଉଦ୍ଘାଟନ କରି ଆହ୍ଵାନ ଦେଇଛନ୍ତି। ଦେଶରେ ପ୍ରଗତିଶୀଳ ଜନଵାଦୀ ସାହିତ୍ୟ, ସଂସ୍କୃତି ତଥା ସୃଷ୍ଟିର ଶ୍ରେଷ୍ଠ ପ୍ରାଣି ମଣିଷ ଉପରେ ସାମ୍ପ୍ରଦାୟିକ – ଫାସିଵାଦୀ ଆକ୍ରମଣ – “ଆମ ସମ୍ବିଧାନର ମୌଳିକ ବିଚାର ବିଭିନ୍ନତା ମଧ୍ୟରେ ଏକତା” କୁ କ୍ଷତାକ୍ତ କରୁଛି। ସାମ୍ପ୍ରଦାୟିକ ଫାସିଵାଦକୁ ମୁକାବିଲା କେବଳ ଶ୍ରମିକ କୃଷକ ଛାତ୍ର ଯୁବକ ମୈତ୍ରୀର ସଂଗ୍ରାମ ହିଁ ମୁକାବିଲା କରିପାରିବ ଓ ତାହା ଜରୁରୀ ଅଟେ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ପୁର୍ବତନ ସମ୍ପାଦକ ତଥା ଅଵସରପ୍ରାପ୍ତ ପ୍ରଶାସକ କଵି ଅଶ୍ଵିନୀ କୁମାର ମିଶ୍ର ଆହ୍ଵାନ ଦେଇଛନ୍ତି।

ପୁର୍ବତନ ସାଂସଦ ଭବାନୀ ହୋତା କହିଲେ ଯେ ସମାଜବାଦ ହିଁ ସମାଜର ଭବିଷ୍ୟତ ଏଵଂ ଏଥିରେ ଚାଳିକା ଶକ୍ତି ଶ୍ରମିକ, କୃଷକ, ଛାତ୍ର ଓ ଯୁବ ସମାଜ ଅଟନ୍ତି। ରାଜ୍ୟରେ ମିଶନ ଶକ୍ତି ଇସି ସଦସ୍ୟଙ୍କ ଭତ୍ତା ମାସିକ ଟ୧,୫୦୦/-, ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାର ଶ୍ରମିକ ମାନେ ମାସିକ ସର୍ବାଧିକ ଟ୨,୩୦୦/- ମଜୁରୀ, ପାଚିକା ମାନେ ମାସିକ ଟ୩,୦୦୦/-, ଆଶା କର୍ମୀ ମାସିକ ଟ୭,୦୦୦/- ଭତ୍ତା ପାଉଥିବା ବେଳେ ଓଡ଼ିଶାର ବିଧାୟକମାନେ ନିଜ ଭତ୍ତା ୩ଗୁଣ ବୃଦ୍ଧି କରି ମାସିକ ଭତ୍ତା ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ବିଲ୍ ଗୃହରେ ସର୍ଵସମ୍ମତ ଅନୁମୋଦନ କରାଇ ବିଧାନ ସଭା ସ୍ଥଗିତ କରିବା ଦୁର୍ଭାଗ୍ୟଜନକ ଏଵଂ ଏହି ଵିଲ ପ୍ରତ୍ୟାହାର ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟି ଆନ୍ଦୋଳନ ଜାରି ରଖିବ ବୋଲି ସିପିଆଇ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ ପ୍ରସ୍ତାବ ଆଗତ କରିବା ସହ ୨୬ ଡିସେମ୍ବର କମ୍ଯୁନିଷ୍ଟ ପାର୍ଟି ପ୍ରତ୍ୟେକ ଶାଖାରେ ଶତବାର୍ଷିକୀ ପାଳନ ସହ ଜନଗଣଙ୍କ ଲଗାତର ସଂଗ୍ରାମର ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ। ବୈପ୍ଳବିକ ପରିଵାରର ତୃତୀୟ ପିଢୀର ବରିଷ୍ଠ ସାମ୍ବାଦିକ ତଥା ଶତବାର୍ଷିକୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶିବଶଙ୍କର ନନ୍ଦଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା ଉଦବୋଧନ ଦେଇ ଓଡ଼ିଶାର ସମସ୍ତ ଖଣିଖାଦାନ ଉପରେ ବସବାସ କରୁଥିବା ଆଦିଵାସୀଙ୍କୁ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଛେଦ ଅଭିଯାନ ଚଳାଇଛନ୍ତି। ଜନଗଣଙ୍କ ଭିଟାମାଟି ସୁରକ୍ଷା ଆନ୍ଦୋଳନକୁ କମ୍ୟୁନିଷ୍ଟ ପାର୍ଟି ଅଗ୍ରାଧିକାର ଦେଇ ଆସିଛି ଓ ଦେବ ବୋଲି ଦୋହରାଇ ଥିଲେ। ଅଖିଳ ଭାରତୀୟ ଯୁବ ସଂଘର ଉପସଭାପତି ରାଜେନ୍ଦ୍ର ନାଏକ କହିଛନ୍ତି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ଘରୋଇ କରଣ କରି ବିସ୍ଥାପିତଙ୍କ ଲୋକଙ୍କୁ ପ୍ରତିଶ୍ରୁତି ଭିତ୍ତିରେ ତାଙ୍କ ନ୍ୟାଯ୍ୟ ପାଉଣା ଓ କର୍ମ ନିଯୁକ୍ତି ନଦେଇ ନିର୍ଯ୍ୟାତିତ କରାଯାଉଛି। କମ୍ୟୁନିଷ୍ଟ ପାର୍ଟି ଏହା ପ୍ରତିରୋଧ କରିଆସିଛି ଓ କରିବ ବୋଲି ଚେତାବନୀ ଦେଇଛନ୍ତି। ପାର୍ଟିର ବରିଷ୍ଠ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଏଆଇଟିୟୁସିର ରାଜ୍ଯ ସଭାପତି ଅଶୋକ ଦାସ ଜନ ଆନ୍ଦୋଳନକୁ ତ୍ବରାନ୍ବିତ କରିବାକୁ ଗୁରୁତ୍ଵ ଦେଇଥିଲେ।ରାଜ୍ଯ ସହ ସମ୍ପାଦକ ତଥା ଶତବାର୍ଷିକୀ ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସିଂଦେଓ ମଞ୍ଚ ଆହ୍ଵାନ ସହ ସମାରୋହର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇ ସମ୍ବଲପୁରଠାରେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ନେଇ ସଂଗଠିତ ଶତବାର୍ଷିକୀ ସମାରୋହରେ ପାର୍ଟିର ଐତିହାସିକ ସଂଘର୍ଷର ସୂଚନା ଦେଇଥିଲେ। ଏହି ସମାରୋହରେ କମ୍ୟୁନିଷ୍ଟ ପାର୍ଟି ଗଠନ ଓ ଏହାର ଜନ ଆନ୍ଦୋଳନର ନେତୃତ୍ଵ ନେଇଥିବା ପ୍ରଖ୍ୟାତ ନେତାଙ୍କ ପରିଵାର ସଦସ୍ୟ ଓ କେତେକ ବରିଷ୍ଠ କମ୍ୟୁନିଷ୍ଟ ସଂଗ୍ରାମୀ ଓ ନେତାଙ୍କୁ ଶତବାର୍ଷିକୀ ସମାରୋହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହ ପୁର୍ବରୁ ଏକ ପଟୁଆର ସହର ପରିକ୍ରମା କଲାପରେ ସମ୍ବଲପୁର ନାରୀ ସେବା ସଦନ ଠାରେ ପାର୍ଟିର ପତାକା ଵର୍ଷିଆନ ନେତା ଅଶୋକ ଵିଶି ଉତ୍ତୋଳନ କରିଥିଲେ। ଏହା ପରେ ଶହୀଦ ବେଦୀରେ ମାଲ୍ୟାର୍ପଣ କରି ପ୍ରତିନିଧି ମାନେ ସମାରୋହ ସ୍ଥଳକୁ ଯାଇଥିଲେ। ଏହି ସମାରୋହରେ ସିପିଆଇ ରାଜ୍ଯ କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ଏଆଇଏସ୍ଏଫ୍ ର ରାଜ୍ଯ ସଭାପତି ସଂଘମିତ୍ରା ଜେନା, ରାଜ୍ଯ କାର୍ଯ୍ୟକାରୀ କମିଟି ସଦସ୍ୟ ବିଦ୍ୟାଧର ମହାନ୍ତ, ପ୍ରଦୋଷ ମହାନ୍ତି, ରାଜ୍ଯ ପରିଷଦ ସଦସ୍ୟ ସଦାନନ୍ଦ ସାହୁ, ସନ୍ତୋଷ ଆଚାର୍ଯ୍ୟ, ଜଗଦୀଶ ଦୁର୍ଗା, ସାରଙ୍ଗଧର ମିଶ୍ର, ଜୟଦେବ ଗଡତିଆ, ପ୍ରଭାକର ଭୋଇ, ଜଲେଞ୍ଜୟ ରଣା, ପାଣ୍ଡବ ଭୋଇ, ବଂଶୀଧର ପଧାନୀ, ରବୀନ୍ଦ୍ର ମହାନ୍ତି, ମିତ୍ରଭାନୁ ପୋଡ଼, ସନ୍ତୋଷ କନଓ୍ଵାର ପ୍ରମୁଖ ନେତୃତ୍ଵ ନେଇଥିଲେ ଓ ଶେଷରେ ସିପିଆଇ ଜିଲ୍ଲା ସମ୍ପାଦିକା ସରୋଜିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଶ୍ଚିମ ଓଡିଶା ର ହୀରାକୁଦ ବିସ୍ଥାପିତ, କଣ୍ଢେଇକେଲା ର ଢବାଫଟା ଆନ୍ଦୋଳନ, ରେଶମ ଗୌନ୍ତିଆ ବିରୋଧୀ ଆନ୍ଦୋଳନ, ଅବିଭକ୍ତ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲା ଜଳ କର ଆନ୍ଦୋଳନ ସମେତ ସମସ୍ତ ଶ୍ରମିକ ଆନ୍ଦୋଳନ ବିଷୟ ରେ ଆଲୋଚନା ହୋଇଥିଲା।
(ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବଏମସି ନ୍ୟୁଜ ଓଡ଼ିଶା)


