ଢେଙ୍କାନାଳ ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକx କରମୂଳ ଗ୍ରାମ ପଞ୍ଚାୟତ ରାଇପାଳ ଗାଁରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଅଘଟଣ ଘଟିଛି। ଗାଁର ୭୧ ବର୍ଷୀୟ ବୃଦ୍ଧା ଦୁଲେଇ ସାହୁ ନିଜ ବାଡ଼ି ନିକଟରେ ଥିବା ପ୍ରାୟ ୪୦ ଫୁଟ ଗଭୀର କୂଅ ନିକଟକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡ଼ିଥିଲେ। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କୂଅର ଗଭୀରତା ଅଧିକ ଥିବାରୁ ଗ୍ରାମବାସୀ ନିଜେ ଉଦ୍ଧାର କରିବାକୁ ସାହସ କରିପାରି ନଥିଲେ ଓ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଗଁଦିଆ ଫାୟାର ଷ୍ଟେସନର ଅଧିକାରୀ ଓ କର୍ମଚାରୀମାନେ ଉଦ୍ଧାରକାରୀ ସାମଗ୍ରୀ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଅଧ ଘଣ୍ଟାର ଅକ୍ଲାନ୍ତ ପ୍ରୟାସ ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ସଙ୍ଗେ ସଙ୍ଗେ କରମୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଛି। ଅଗ୍ନିଶମ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବୃଦ୍ଧାଙ୍କ ଜୀବନ ବଞ୍ଚି ଯାଇଥିବାରୁ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


