ସମ୍ବଲପୁର/ବରପାଲି: ତା-୦୯/୦୩ (ବିଏମସି ଟିଭି ଓଡିଆ)
ବରପାଲି ସରସ୍ଵତୀ ମହିଳାସଂଘ ଠାରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏଚ୍ଇଟିସିର ଏଆଇଏସ ଡବ୍ଲ୍ୟୁଆଇସି ଭାବରେ କାର୍ଯ୍ୟରତ ଶ୍ରୀମତୀ ସାଗରୀକା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଦସ୍ୟା ନିବେଦିତା ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଘରଜୁଗୀ ଗଡ଼ତିଆ ତାଙ୍କ ଅଭିଭାଷଣରେ ଶିକ୍ଷାର ପ୍ରସାରରେ ନାରୀର ସଂଘର୍ଷମୟ ଇତିହାସକୁ ଉପସ୍ଥାପନ କରିବା ସହ ସଂପ୍ରତି ଶିକ୍ଷା ଦିଗରେ ନାରୀର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସମ୍ପାଦିକା ସୁନିତା ମୁଣ୍ଡ ବର୍ତ୍ତମାନ ସମାଜରେ ଚାଲିଥିବା କୁସଂସ୍କାର ଓ ମଣିଷର ମୃତ୍ୟୁପରେ ଚାଲିଥିବା ଆଡମ୍ବର ତଥା ପ୍ରହସନମୂଳକ ପ୍ରଥା, ପ୍ରାକ୍ ବିବାହ ସୁଟିଂ ପରମ୍ପରା ଭଳି କିଛି କାର୍ଯ୍ୟରେ ସଂସ୍କାର ଆଣିବାକୁ ନାରୀମାନଙ୍କୁ ଆହ୍ବାନ କରିଥିଲେ ।ବାନ୍ଧକଳାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁକାନ୍ତି ମେହେର ମହିଳାମାନେ ସମାଜରେ କିପରି ନିଜ ପରିଚୟ ସୃଷ୍ଟି କରିପାରିବେ, ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମହିଳାମାନଙ୍କ ପାଇଁ ମିଳୁଥିବା ସରକାରୀ ଯୋଜନା ସଂପର୍କରେ ଆଲୋଚନା କରି ଭ୍ରୁଣ ହତ୍ୟା ରୋକିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ କବୟିତ୍ରୀ ସୌଦାମିନୀ ଖଟୁଆଙ୍କ ରଚିତ “ମାନସ କଲ୍ଲୋଳ” ପୁସ୍ତିକା ଉନ୍ମୋଚିତ ହୋଇଥିଲା । ନାରୀ ସମାଜରେ ଉଦାହରଣ ସୃଷ୍ଟି କରି ଶ୍ରବଣ ଓ କଥନ ଶକ୍ତିହୀନ ହୋଇଥିବା ସତ୍ତ୍ୱେ ମଧ୍ୟ ଏକ ବୃତ୍ତିମୂଳକ ପ୍ରଶିକ୍ଷଣ କେନ୍ଦ୍ରର ସୁପରିଚାଳନା ପାଇଁ ନୂତନ ପଧାନ ଓ ଶ୍ରୀମଦ ଭଗବତ ଗୀତାକୁ କଣ୍ଠସ୍ଥ କରିଥିବା ବାବୁପାଲିର ସୌଦାମିନୀ ଦାଶଙ୍କୁ ସମ୍ମାନିତ କରାଯାଇଥିଲା । ଗୋପୀନାଥ ମନ୍ଦିରର ଗୀତାସେବୀଗଣ ୧୫ଅଧ୍ୟାୟ ଗୀତା ପାଠ କରିଥିଲେ । ଗୀତା ପାଠ ଦ୍ବାରା ଦିନ ଚର୍ଯ୍ୟାରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ – ଏହାକୁ ନେଇ ଗୀତାସେବୀମାନେ ନିଜ ଅନୁଭବରୁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଷ୍ପା ତ୍ରିପାଠୀ, ରୀନା ଦେବତା, ବେଦମତୀ ପରିଡା, ସଞ୍ଜୁ ବେହେରା , ଅନୁପମା ପଧାନ ଆଦି ସଦସ୍ୟାଗଣଙ୍କ ସହ ସଂଘର କର୍ମକର୍ତ୍ତା ନୂତନ ପଧାନ , ସୁନିତା କୁମ୍ଭାର ଓ ସ୍ପେସିଆଲ ଏଡୁକେଟର ବିବେଶିଖା ଯୋଗ ଦେଇ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂପାଦନ କରିଥିଲେ । ପରିଶେଷରେ ସଂଘର ସଭାପତି ଲୀଳାବତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


