ବାଙ୍କୀ : ତା -୩୦/୦୧(ବିଏମସି ଟିଭି ଓଡିଆ)
ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଆଜି ଜଙ୍ଗଲ ମଧ୍ୟରେ ଥିବା ଏକ ଆଦିବାସୀ ଗାଁ ରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଅଭୟାରଣ୍ୟର ଆଭ୍ୟନ୍ତରୀଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅରେ ପରିଷଦର କର୍ମକର୍ତ୍ତାମାନେ ପହଞ୍ଚି ଶୀତବସ୍ତ୍ର ପ୍ରଦାନ କରିଥିଲେ । କିଛି ଦିନ ହେବ ଅନୁଭୂତ ହେଉଥିବା ହାଡଭଙ୍ଗା ଶୀତରେ ଏହି ଅସହାୟ ନିରୀହ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କ ପାଖରେ ନା ଥିଲା ଭଲ ଘର ଖଣ୍ଡେ ନା ଭଲ ଶୀତବସ୍ତ୍ରଟିଏ । ସ୍ଥାନୀୟ ଶିକ୍ଷାବିତ୍ ସନ୍ତୋଷ ସାହୁଙ୍କ ଠାରୁ ଏବିଷୟରେ ସୂଚନା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଗତ ୮ ବର୍ଷ ଧରି ଶୀତ ଦିନରେ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଆସୁଥିବା ଜନମଙ୍ଗଳ ପରିଷଦ ଏବର୍ଷ ମଧ୍ୟ ଗତ ଡିସେମ୍ବର ମାସରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିଆସୁଅଛି । ସେହି କ୍ରମରେ ଆଜି ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅ ପ୍ରାୟ ୪୦ ଗୋଟି ପରିବାରରେ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ସମ୍ପାଦକ ନିରଞ୍ଜନ ସାହୁ, ଲକ୍ଷ୍ମଣ ଦାଶ , ସମାଜସେବୀ ମୁକେଶ ରାଉତ, ରକ୍ତଦାତା ସର୍ବେଶ୍ଵର ସାହୁ, ସଞ୍ଜୟ ସାହୁ, ଶିକ୍ଷକ ଧନୁଧର ନାଏକ ପ୍ରମୁଖ ଉପସ୍ଥିତ ରହି କମ୍ବଳ ପ୍ରଦାନ କରିବା ସହ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ । ଗାଁ ର ଲୋକମାନଙ୍କ ସହ କଥା ହୋଇ ଜଣାପଡିଲା ଯେ, ଏହି ଗାଁ ରେ ଏବେବି ଇଲେକ୍ଟ୍ରି ନାହଁ । ମୋବାଇଲ ନେଟୱର୍କ ଆସୁନଥିବାରୁ ପିଲାମାନେ ପାଠପଢ଼ାରୁ ବଂଚିତ । ପିଇବା ପାଣି କଥା ନକହିଲେ ଭଲ । ରାଜଧାନୀରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଏହି ଗାଁ ପ୍ରତି ପ୍ରଶାସନର ଦୃଷ୍ଟି ନରହିବା ସ୍ଥାନୀୟ ସରକାରୀ ବ୍ୟବସ୍ଥାର ଅପାରଗତାକୁ ଆଙ୍ଗୁଳି ନିର୍ଦେଶ କରୁଛି ।ପରିଷଦ ପକ୍ଷରୁ ଗାଁ ଲୋକଙ୍କ ସହ ଆଲୋଚନା କରାଯାଇ ଏବିଷୟରେ ସ୍ଥାନୀୟ ପ୍ରଶାସନର ତୁରନ୍ତ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


