ସମ୍ବଲପୁର:ତା-୨୫/୧୨(ବିଏମସି ଟିଭି ଓଡିଆ)
ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହୀଦ କରୁଣାକର ସିଂ ନାଏକଙ୍କ ୧୬୫ ତମ ଆତ୍ମୋତ୍ସର୍ଗ ଦିବସ ସୋମବାର ନିଜ ଜନ୍ମସ୍ଥଳୀ ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ମହା ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଭିନ୍ନ ପାରମ୍ପରିକ ଆଦିବାସୀ ନୃତ୍ୟ, ବାଜା, ଅସ୍ତ୍ରଶସ୍ତ୍ର ଧରି ସହିଦଙ୍କ ନିଜ ବାସଗୃହରୁ ମା’ ସମଲେଶ୍ଵରୀଙ୍କ ପାଖରୁ ଜ୍ୟୋତି ନେଇ ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ସହିଦ କରୁଣାକର ସିଂ ନାଏକ, ଖଗ ନାଏକ ଓ କହ୍ନେଇ ନାଏକ ସ୍ମୁତି ଟ୍ରଷ୍ଟର ସଭାପତି ରୁଦ୍ର ପ୍ରତାପ ସିଂ, ଉପଦେଷ୍ଟା ମହେନ୍ଦ୍ର ନାଏକ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର ସିର୍ଯୁ ଖମାରୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କରୁଣାକର ପାର୍କ ଭିତରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତି ଓ କରୁଣାକର ଛକରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ କୋଲାବିରା ମିନି ଷ୍ଟାଡିୟମ୍ଠାରେ ସହିଦଙ୍କ ଉତ୍ତର ଦାୟଦ ରାଜମାତା ଗୁନମନ୍ତି ଦେବୀଙ୍କ ସ୍ମୃତିରେ ଆୟୋଜିତ ଦ୍ବିତୀୟ ଫୁଟବଲ ପ୍ରତିଯୋଗିତାରେ ଅତିଥିଗଣ ଯୋଗ ଦେଇଥିଲେ। ପ୍ରଥମେ ପୂର୍ବତନ ଫୁଟବଲ ଖେଳାଳୀମାନଙ୍କ ଝାରସୁଗୁଡା ସହର ଓ ଲଇକେରାର ରେଡ କମାଣ୍ଡୋ ଫୁଟବଲ ଟିମ୍ ସହ ପ୍ରଦର୍ଶନୀ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ପରେ ପୂର୍ବଦିନର ଦୁଇ ବିଜେତା ଟିମ୍ ଜୟ ଯବାନ କ୍ଳବ୍ ଝାରସୁଗୁଡ଼ା ସହ ଲାଇକେରାର ନାଗ୍ରୁପଡ଼ା ଟିମ୍ ସହିତ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାରେ ନାଗ୍ରୁପଡ଼ା ଏକ ଶୂନ ଗୋଲରେ ବିଜେତା ହୋଇଥିଲେ। ଏହାପରେ ଅବସର ପ୍ରାପ୍ତ ପ୍ରଶାସକ ମହେନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବାଧିନତା ସଂଗ୍ରାମରେ ସହିଦ କରୁଣାକର ଓ ତାଙ୍କ ପରିବାରର ଖଗ ନାଏକ, କହ୍ନେଇ ନାଏକଙ୍କ ସସସ୍ତ୍ର ସଂଗ୍ରାମ ସମ୍ପର୍କରେ କହିବା ସହିତ ରାଜ୍ୟ ସରକାର ସହିଦ ମାନ୍ୟତା ଦେବା ଓ ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ମାନ୍ୟତା ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡବ୍ଲୁଓଡିସିର ପ୍ରାକ୍ତନ ସଭ୍ୟ ମିତ୍ରଭାନୁ ସାହୁ ଓ ଅବସର ପ୍ରାପ୍ତ ଅତିରିକ୍ତ ତହସିଲଦାର ସିର୍ଜୁ କୁମାର ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଅତିଥି ଗଣ ସାମ୍ବାଦିକ ସୁକାନ୍ତ ସାହୁ ଓ ଅବସର ପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଭୋଇଙ୍କୁ ସ୍ମୁତି ସମ୍ମାନ ପ୍ରଦାନ କରିଥିଲେ। ଏଥିସହ ବିଜେତା ଓ ଉପ ବିଜେତା ଦଳଙ୍କ ସହ ପ୍ରଦର୍ଶନୀ ଖେଳର ଉଭୟ ପ୍ରତିଯୋଗୀଙ୍କୁ ସୁଦୃଶ୍ୟ ସିଲ୍ଟ , କପ୍ ଓ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ପ୍ରଧାନ, ନିରଞ୍ଜନ ଓରାମ, ଅଶୋକ ମାଝୀ, ରାଜେଶ୍ ନେଟି, ନିରଞ୍ଜନ ଓରାମ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ରୁଦ୍ର ପ୍ରତାପ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା
ଜନ୍ମସ୍ଥଳୀରେ ସହିଦ କରୁଣାକରଙ୍କ ଆତ୍ମୋତ୍ସର୍ଗ ଦିବସ ମହାସମାରୋହରେ ପାଳିତ, ସହିଦ ମାନ୍ୟତା ପାଇଁ ସରକାରଙ୍କ ନିକଟରେ ଦାବୀ


