ବେଲଗୁଣ୍ଠା: ତା -୨୨/୧୨(ବିଏମସି ଟିଭି ଓଡ଼ିଆ)
ପେଟ ପୋଷିବା ଉଦ୍ଦେଶ୍ୟରେ ବାହାର ରାଜ୍ୟରେ ଦାଦନ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଗାଆଁକୁ ଶବ ହୋଇ ଫେରିଛନ୍ତି ଓଡ଼ିଆ ଯୁବକ । ଏହି ଭଳି ଦୁଃଖଦ ଖବର ଆସିଛି ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତର ନାୟକପଡ଼ା ଗ୍ରାମରୁ । ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟନାରାୟଣ ରଣାଙ୍କ ଦ୍ଵିତୀୟ ପୁତ୍ର ଉତ୍ତମ ପ୍ରସାଦ ରଣା ଚେନ୍ନାଇରେ ଏକ ଟ୍ରାକ୍ଟର୍ ପାର୍ଟ୍ସ୍ ନିର୍ମାଣ କମ୍ପାନିରେ କିଛି ଦିନ ହେବ କାର୍ଯ୍ୟ କରୁଥିଲେ । ସାତ ଆଠ ଦିନ ତଳେ ଉତ୍ତମଙ୍କୁ ଜ୍ଵର ହେବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ଅପରାହ୍ଣ ତିନି ଘଣ୍ଟା ତିରିଶି ମିନିଟ୍ ସମୟରେ ଉତ୍ତମଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ତାଙ୍କର ସମ୍ପର୍କୀୟ ଭାଇ କମ୍ପାନି କର୍ତ୍ତୁପକ୍ଷଙ୍କ ଯୋଗାଯୋଗ କରି ଆଜି ସକାଳେ ବିମାନ ଯୋଗେ ଉତ୍ତମଙ୍କ ଶବକୁ ଭୁବନେଶ୍ୱର ଅଣାଯାଇ ସେଠାରୁ ଏକ ଆମ୍ବୁଲାନ୍ସ୍ ଯୋଗେ ଉତ୍ତମଙ୍କ ଶବକୁ ନିଜ ଗ୍ରାମ ନାୟକପଡ଼ାକୁ ଅଣାଯାଇଥିଲା । ଉତ୍ତମଙ୍କ ଶବ ଗାଆଁରେ ପହଞ୍ଚିବା ପରେ ସେଠାରେ ଶୋକର ଛାୟା ଖେଳି ଯାଇଥିଲା । ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଉତ୍ତମଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


