ବାଲିମେଳା: ତା -୦୩/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଦ୍ୱାରା ବେଆଇନଭାବେ ବିଭିନ୍ନ ଅଞ୍ଚଳରେ କରାଯାଉଥିବା ଚାଷ ଏବଂ ବାହାର ରାଜ୍ୟକୁ ହେଉଥିବା ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସର୍ବଦା ଉଦ୍ୟମ ଜାରୀ ରହିଥିଲେ ମଧ୍ୟ ମାଫିଆଙ୍କ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ କମିବ ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧୀନ ଅମ୍ବାଗୁଡା ଜଙ୍ଗଲରେ କିଛି ମାଫିଆଙ୍କ ଦ୍ୱାରା ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ୧୨ ଟି ଜରି ବସ୍ତାରେ ଗଛିତ ଥିବା ୩୦୦ କିଲୋ ଗଞ୍ଜେଇକୁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ସମୟରେ ଜବତ କରିଛି ଓର୍କେଲ ପୋଲିସ। ତେବେ ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଥାନା ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏସଆଇ ଅଜିତ ସିଂ ବରିହାଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ସୋମବାର ସକାଳ ୧୧ ସମୟରେ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ଆମ୍ବାଗୁଡା ଅଞ୍ଚଳରେ ପେଟର୍ଲିଂ କରୁଥିବା ବେଳେ ଉକ୍ତ ରାସ୍ତା ପାର୍ଶ୍ଵରେ ଥିବା ଜଙ୍ଗଲରେ ୧୨ ଟି ଜରି ବସ୍ତାରେ କିଛି ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ପୋଲିସର ଏହି ଟିମ ଉକ୍ତ ବସ୍ତା ଗୁଡିକ ଯାଞ୍ଚ କରିବାରୁ ଉକ୍ତ ବସ୍ତା ଗୁଡିକରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରି ଥାନାକୁ ଆଣିଥିଲେ। ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୬୨/୨୦୨୬ ରେ ଏକ ମାମଲା ରୁଜୁ କରିଛନ୍ତି। ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଥାନାରେ ପହଞ୍ଚିବା ପରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯାଇଥିଲା। ମୋଟ ୩୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ କେହି ଗିରଫ ହୋଇନାହାନ୍ତି। ଏହି ଘଟଣାରେ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏସଆଇ ଶ୍ରୀ ବରିହା କହିଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


