ସମ୍ବଲପୁର:ତା.୧୪/୦୬ (ବିଏମସି ଟିଭି ଓଡିଆ)
ସମ୍ବଲପୁର ସହର ସ୍ଥିତ ହୋଟେଲ ହରଜିତ ସଭାଗୃହରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଡ଼.ଉତ୍ପଳା ଦାସ ଷଡ଼ଙ୍ଗୀଙ୍କର କବିତା ସଂକଳନ ‘ଝରକା ସେପାଖେ’ ଆଜି ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କବି ଅନନ୍ୟା ବେହେରାଙ୍କର ସଂଯୋଜନାରେ ଆୟୋଜିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣା, ସମ୍ମାନିତ ଅତିଥି ଭାବରେ ଡ଼.ପଦ୍ମାଳୟା ପଣ୍ଡା, ସମାଲୋଚକ ମୋହନ ସାହୁ ଓ ମୁଖ୍ୟବକ୍ତା ସାମ୍ବାଦିକ ତଫିଜୁଲ ହୁସେନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କର ପ୍ରତିକୃତିରେ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ଳୋକ ଉଚ୍ଚାରଣ ସନତ ସାହୁ କରିଥିବା ବେଳେ ଶିଶୁ ନୃତ୍ୟଶିଳ୍ପୀ ତନୁଶ୍ରୀ କର, ବୈଷ୍ଣବୀ ଦାସ, ଜ୍ୟୋତିର୍ମୟୀ ମହାରଣା। ନୃତ୍ୟ ପରିବେଷଣ କରିବା ସହ ସୁଧାଂଶୁ ମୋହନ ପଟେଲ ସମଲେଶ୍ୱରୀ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଅତିଥି ମାନେ ଉନ୍ମୋଚିତ କବିତା ସଂକଳନ ‘ଝରକା ସେପାଖେ’ ଓ କବି ଡ଼.ଷଡ଼ଙ୍ଗୀଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାରଣା ଓଡ଼ିଆ ସାହିତ୍ୟରେ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପ୍ରସିଦ୍ଧ କବିତା ଗୁଡିକର ସମାଜ ପ୍ରତି ବାର୍ତ୍ତା ବିଷୟରେ ଆଲୋଚନା କରିଥିଲେ। କବିତା ସଂକଳନ ‘ଝରକା ସେପାଖେ’କୁ ସମୀକ୍ଷା କରିଥିଲେ ମୋହନ ସାହୁ।ମୁଖ୍ୟବକ୍ତା ସାମ୍ବାଦିକ ତଥା କଲମ ପରିବାରର ସଭାପତି ତଫିଜୁଲ ହୁସେନ କହିଲେ ଯେ କବି ଓ କବିତାର ସମାଜ ପାଇଁ ବିଶେଷ ଅବଦାନ ରହିଛି ଓ ରହିଥିବ, ଯାହାକି ଯୁଗେ ଯୁଗେ କବିମାନେ ସୃଷ୍ଟି କରି ଚାଲିଛନ୍ତି। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ କବି ପଙ୍କଜିନୀ ନାୟକ ଓ କବି ମମତା ନାଥଙ୍କ ସଂଯୋଜନା ରେ ବହୁଭାଷୀ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏହି କବିତା ପାଠୋତ୍ସବରେ ୫୦ ରୁ ଉର୍ଦ୍ଧ କବି ନିଜସ୍ୱ କବିତା ଆବୃତ୍ତି କରିଥିଲେ। ସମସ୍ତ କବିଙ୍କୁ ‘ଝରକା ସେପାଖେ’ର ସ୍ରଷ୍ଟା କବି ଉତ୍ପଳା ଦାସ ଷଡ଼ଙ୍ଗୀ ଜଣେ ସମ୍ବର୍ଦ୍ଧିତ କରିଥିଲେ।
ସମ୍ବଲପୁର ରୁ କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


