ବଲାଙ୍ଗୀର ;ତା-୧୩/୦୬(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରାଇପାଳି ଗ୍ରାମର ସାନୂର୍ଜ କରନ (ପିତା- ସ୍ୱର୍ଗତ ଭାସ୍କର କରନ), ବୟସ ପ୍ରାୟ ୫୦ ବର୍ଷ, ଦୀର୍ଘ ୨୫ରୁ ୨୭ ବର୍ଷ ଧରି ନକଲି ଡାକ୍ତର ଭାବେ ଚିକିତ୍ସା କରୁଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ ଚିକିତ୍ସା ଯୋଗ୍ୟତା ନଥିବା ସତ୍ତ୍ୱେ ବିଭିନ୍ନ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଥିବା କଥା ପ୍ରକାଶ ପାଇଛି। ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ, ସାନୂର୍ଜ କରନଙ୍କ ସହ ଅନ୍ୟ କିଛି କଥିତ ନକଲି ଡାକ୍ତରଙ୍କର ମଧ୍ୟ ସମ୍ପର୍କ ରହିଛି। ତାଙ୍କ ବିରୋଧରେ ନିଷ୍ପକ୍ଷ ତଦନ୍ତ କରାଗଲେ ଅଞ୍ଚଳରେ କାର୍ଯ୍ୟରତ ଅନ୍ୟାନ୍ୟ ନକଲି ଡାକ୍ତରଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି।ଏହି ଅଭିଯୋଗ ସମ୍ପର୍କରେ ଆମ ପ୍ରତିନିଧି ବଲାଙ୍ଗିର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେ ଏ ବିଷୟରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଡାକ୍ତର ମିଶ୍ରଙ୍କୁ ଅଭିଯୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଅବଗତ କରାଯାଇଥିବା ବେଳେ ସେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ରାଇପାଳି ଗ୍ରାମର ଆଶା କର୍ମୀ ଶ୍ରୀମତୀ ସଂଯୁକ୍ତା ଦୀପ ଫୋନ୍ ଯୋଗେ ସାନୂର୍ଜ କରନ ଜଣେ ନକଲି ଡାକ୍ତର ବୋଲି ମତ ପ୍ରକାଶ କରିଥିବା ଅଭିଯୋଗକାରୀମାନେ କହିଛନ୍ତି। ସେହିପରି ଗ୍ରାମର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପ୍ରମିଳା ଧାରୁଆ ମଧ୍ୟ ସାନୂର୍ଜ କରନ ପ୍ରାୟ ୨୦ରୁ ୨୨ ବର୍ଷ ଧରି ଡାକ୍ତର ପରିଚୟ ଦେଇ ଆଖପାଖ ଅଞ୍ଚଳରେ ଚିକିତ୍ସା କରୁଥିବା କଥା କହିଥିବା ସୂଚନା ମିଳିଛି। ତେବେ ଏହି ସମସ୍ତ ଅଭିଯୋଗର ସରକାରୀ ସ୍ତରରେ ସ୍ୱାଧୀନ ଯାଞ୍ଚ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ବେଳେ, ଅଞ୍ଚଳବାସୀ ଏହାର ନିଷ୍ପକ୍ଷ ତଦନ୍ତ କରାଯାଇ ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଗ୍ରାମାଞ୍ଚଳରେ ନକଲି ଡାକ୍ତରଙ୍କ କାର୍ଯ୍ୟକଳାପ ନିରୀହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ଜୋର ଧରିଛି।
ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


