ସମ୍ବଲପୁର/ଗୋଡଭଗା:ତା.୦୫/୦୬ (ବିଏମସି ଟିଭି ଓଡିଆ)
ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଜାତୀୟ କବି ଓ ଲେଖକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସାରସ୍ୱତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ, ପ୍ରକୃତି ବନ୍ଧୁ ତଥା ବିଶିଷ୍ଟ କବୟିତ୍ରୀ ଅନୁସୂୟା ଦେବତାଙ୍କୁ ତାଙ୍କର ଉଲ୍ଲେଖନୀୟ ସାହିତ୍ୟିକ କୃତି ଓ ସାରସ୍ୱତ ସାଧନା ପାଇଁ ପ୍ରତିଷ୍ଠିତ “ଜାତୀୟ କବି ସାରସ୍ୱତ ସମ୍ମାନ-୨୦୨୬” ରେ ସମ୍ବର୍ଦ୍ଧିତ କରାଯାଇଛି। ସଂଗଠନର ସଭାପତି ଯଜ୍ଞେଶ୍ୱର ପଣ୍ଡାଙ୍କ ସଭାପତିତ୍ୱ ଏବଂ ପ୍ରତିଷ୍ଠାତା ସମ୍ପାଦକ ଦୀନବନ୍ଧୁ ବେଜ୍ଙ୍କ ସମ୍ପାଦନାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶାର ବହୁ ବିଶିଷ୍ଟ ପ୍ରତିଭା ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ତଥା ଓଡ଼ିଆ ସିନେମା ସଂଳାପକାର ରଜନୀ ରଞ୍ଜନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେମା ଓ ନାଟ୍ୟ ନିର୍ଦ୍ଦେଶକ ତଥା ସ୍ତମ୍ଭକାର ବିଜୟ ଦାସ, କବୟିତ୍ରୀ ମନୋରମା ମହାପାତ୍ର ଏବଂ ଲେଖକ ତଥା ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାଏକ, କବି କରୁଣାକର ମଲ୍ଲିକ ଓ ଗୋଦାବରୀଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। “ସାହିତ୍ୟ ସମାଜର ଦର୍ପଣ ଏବଂ ଶିକ୍ଷକତା ସହ ସାରସ୍ୱତ ସାଧନାକୁ ଜାରି ରଖିଥିବା ପ୍ରତିଭାମାନେ ହିଁ ସମାଜକୁ ଦିଗଦର୍ଶନ ଦେଇଥାନ୍ତି” ବୋଲି ଅତିଥିମାନେ ନିଜ ନିଜ ଅଭିଭାଷଣରେ କହିଥିଲେ। ଏହି ସମାରୋହକୁ ସଫଳ କରିବାରେ ସଂଗଠନର ଉପଦେଷ୍ଟା ତଥା ଭଞ୍ଜ ସାହିତ୍ୟ ଗବେଷକ କୁଳମଣି ବାରିକ, ଅନନ୍ତ ସାହୁ, ପଙ୍କଜ ରାଉତ, ମୃତ୍ୟୁଞ୍ଜୟ ସାହୁ ଏବଂ ଦେବଯାନୀ ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସଂଯୋଜକ ଜଗଦୀଶ ମହାନ୍ତି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ରାଜ୍ୟସ୍ତରୀୟ ମହାସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିଷ୍ଠିତ କବି, କବୟିତ୍ରୀ ଓ ସାହିତ୍ୟ ପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ଶ୍ରୀମତୀ ଅନୁସୂୟା ଦେବତାଙ୍କର ଏହି ସଫଳତା ପାଇଁ ଅତାବିରା ଅଞ୍ଚଳ ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


